ବେନିୟମ ବାଣ କାରବାର, ଲକ୍ଷାଧିକ ଟଙ୍କାର ବାଣ ଜବତ: ୭ ଜୁଆଡି ଗିରଫ

ଭଞ୍ଜନଗର,୨୬।୯(ବାବୁଲା ପ୍ରଧାନ)-ଦଶହରା ପୂର୍ବରୁ କାଳୀପୂଜା ପର୍ଯ୍ୟନ୍ତ ଗଞ୍ଜାମ ଜିଲାରେ ପୂର୍ବ ଅପେକ୍ଷା ଜୁଆ ଖେଳ ବହୁତ ବଢ଼ିଥାଏ। ସେହିଭଳି ଏହି ସମୟରେ ବେନିୟମ ବାଣ ଦୋକାନ ମଧ୍ୟ ଶହ ଶହ ଖୋଲି ଥାଏ। ବେନିୟମ ବାଣ ଦୋକାନ ଦ୍ୱାରା ବାଣ ବିସ୍ଫୋରଣ ଘଟି ସାଧାରଣ ଲୋକଙ୍କ କ୍ଷତି ହେବାର ସମ୍ଭାବନା ରହିଛି। ଅନ୍ୟପଟେ ଜୁଆ ଖେଳ ଯୋଗୁ ଅନେକ ଲୋକ ଜୁଆରେ ସର୍ବସ୍ବ ହରାଇବା ପରେ ସେମାନେ ମାନସିକ ଦୁଶ୍ଚିନ୍ତାରେ ରହିଥାନ୍ତି। ଏଥିସହ ଏହି ସମୟରେ ଚୋରି ମଧ୍ୟ ବଢ଼ିଥାଏ। ତେଣୁ ବେନିୟମ ବାଣ କାରବାର ଓ ଜୁଆ ଖେଳକୁ ରୋକିବା ପାଇଁ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ସମସ୍ତ ଥାନା ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଗଞ୍ଜାମ ପୋଲିସ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ଏହିଭଳି ବେନିୟମ କାରବାର ଚଢାଉ କରାଯାଉଛି ।

ଏହିଭଳି ଗୁରୁବାର ସନ୍ଧ୍ୟାରେ ବେଲଗୁଣ୍ଠା ପୋଲିସ ପକ୍ଷରୁ ବାଙ୍କି ବଜାରରେ ଥିବା ସତ୍ୟ ମ୍ୟାଚ ସେଣ୍ଟର ଭଳି ଦୁଇଟି ସ୍ଥାନରେ ବେଆଇନ ଆତସବାଜି ବିରୋଧରେ ଚଢାଉ କରାଯାଇଛି । ଦୋକାନରୁ ପ୍ରାୟ ୫୦ ହଜାର ଟଙ୍କାର ବିଭିନ୍ନ ବର୍ଗର ଆତସବାଜି ଜବତ କରାଯାଇଛି । ସେହିଭଳି ମୁଖ୍ୟ ବଜାର ବେଲଗୁଣ୍ଠାରେ ଥିବା ସାହୁ ସିଜନ ଷ୍ଟୋର ନାମକ ଅନ୍ୟ ଏକ ଦୋକାନରେ ଚଢାଉ କରାଯାଇଛି। ସେଠାରେ ବେଆଇନ ଦଖଲ ଏବଂ ବିକ୍ରୟ ସମ୍ପର୍କିତ ପ୍ରାୟ ୪୦ ହଜାର ଟଙ୍କାର ବିଭିନ୍ନ ବର୍ଗର ଆତସବାଜି ଜବତ କରାଯାଇଛି। ଏଥିସହ ଅନ୍ୟାନ୍ୟ ସ୍ଥାନରୁ ମଧ୍ୟ ବାଣ ଜବତ ହୋଇଛି।

ଏହି ସମ୍ପର୍କରେ ଥାନାରେ ବିସ୍ଫୋରକ ଆଇନ/ଧାରା ୫ ଅନୁଯାୟୀ ଓଡ଼ିଶା ଫାୟାରୱାକ୍ସ ଏବଂ ଲାଉଡସ୍ପିକର ନିୟନ୍ତ୍ରଣ ଆଇନରେ ଦୁଇଟି ମାମଲା ରୁଜୁ କରାଯାଇଛି।
ଅନ୍ୟପକ୍ଷରେ ଭଞ୍ଜନଗର ପୋଲିସ ଗୁରୁବାର ରାତିରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୭ ଜଣକୁ ଗିରଫ କରିଛି। ପୋଲିସ ସେମାନଙ୍କଠାରୁ ୪୫୪୭୦ ଟଙ୍କା ଜବତ କରିଛି। ଏନେଇ ଭଞ୍ଜନଗର ଥାନାରେ ୧୦୭୮/୨୫ରେ ଏକ ମାମଲା ରୁଜୁ ହୋଇଛି ବୋଲି ଥାନା ଅଧିକାରୀ ଜିବନାନନ୍ଦ ଜେନା ଏଠାରେ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯିବ। ଗିରଫ ଅଭିଯୁକ୍ତମାନେ ହେଲେ କାଲିଆଗୁଡାର ଆରଏନ ସାଇଁ, ବାଙ୍କେଲେଡିର ଏମ ପ୍ରଧାନ, ଲୁଦୁଲୁଦିର ଏମ ଜେନା, ଏସ ନାୟକ, ଏମ ଷଡ଼ଙ୍ଗୀ, କୁଶପଲ୍ଲୀର ପି କେ ପଲେଇ ଓ କାଳିଆଗୁଡା ଗ୍ରାମର ପ୍ରଶାନ୍ତ ରାଉତ ।