ଭିଜିଲାନ୍ସ ଜାଲରେ ଗ୍ରାମରୋଜଗାର ସେବକ : ୩୨ ହଜାର ଲାଞ୍ଚ ନେଉଥିବା ବେଳେ ପଡିଲେ ଧରା

ଦାରିଙ୍ଗବାଡ଼ି,୨୧।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ କାର୍ଯ୍ୟାଳୟର ଗ୍ରାମରୋଜଗାର ସେବକ ଦିଲ୍ଲୀପ କୁମାର ସାହୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।
ପ୍ରକାଶ ଯେ, ଏକ କୂଅ ଖୋଳିବା ପାଇଁ ଉକ୍ତ ପଞ୍ଚାୟତ ଲାଦାମାଲା ଗ୍ରାମର ରଞ୍ଜନ ଦିଗାଳ ୧ଲକ୍ଷ ୬୦ ହଜାର ଟଙ୍କା ସରକାରୀ ଅନୁଦାନ ପାଇଥିଲେ। କୂଅ ଖୋଳା ସରିବା ପରେ ୫୦ ପ୍ରତିଶତ ବିଲ୍‌ ହୋଇଥିଲା। ବଳକା ବିଲ୍‌ କରାଇବା ପାଇଁ ଗ୍ରାମ ରୋଜଗାର ସେବକ ଦିଲ୍ଲୀପ କୁମାର ସାହୁ ୩୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ୧୬ହଜାର ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଡିପୋଜିଟ କରିବାକୁ ଓ ବାକି ୧୬ ହଜାରର କ୍ୟାସ୍‌ ଦେବାକୁ କହିଥିଲେ। ଟଙ୍କା ଦେଇ ନପାରିବାରୁ ତାଙ୍କର ବିଲ୍‌ ହୋଇ ନ ଥିଲା। ଏନେଇ ରଞ୍ଜନ ଫୁଲବାଣୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଭିଜିଲାନ୍ସ ଯୋଜନା ମୁତାବକ ରଞ୍ଜନ ଦିଲ୍ଲୀପଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୨ ହଜାର ଟଙ୍କା ଡିପୋଜିଟ୍‌ କରିଥିଲେ। ବଳକା କେମିକାଲ ରଙ୍ଗ ଦିଆ ୨୦ ହଜାର ଟଙ୍କା ପଞ୍ଚାୟତ କାର୍ଯ୍ୟାଳୟରେ ଜିଆରଏସ୍‌ ଦିଲ୍ଲୀପଙ୍କୁ ଦେବାପରେ ଛପି ରହିଥିବା ଭିଜିଲାନ୍ସ ଡିଏସ୍‌ପି ରବିକାନ୍ତ ସୁନା ସଦଳବଳ ଚଢ଼ାଉ କରି ଦିଲ୍ଲୀପଙ୍କଠାରୁ କେମିକାଲ ବୋଳା ୨୦ ହଜାର ଟଙ୍କା ଜବତ କରିଥିଲେ। ତାଙ୍କୁ ଗିରଫ ପରେ ଫୁଲବାଣୀ ନେଇଯାଇଛନ୍ତି। କିଛି କାଗଜପତ୍ର ମଧ୍ୟ ଜବତ କରି ନେଇଥିବା ଜଣାପଡିଛି।