ଭୁବନେଶ୍ୱର,୩ା୨(ଅନୁରାଧା ମହାରଣା): ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍ ଲିମିଟେଡ୍ (ଟିପିସିଓଡିଏଲ୍)ର ବିଦ୍ୟୁତ ବିତରଣ କାର୍ଯ୍ୟଦକ୍ଷତା ଉପରେ ଏକ ଅଧ୍ୟୟନ ରିପୋର୍ଟ ପ୍ରକାଶ ପାଇଛି। ବିତରଣ କ୍ଷେତ୍ରରେ ସଂସ୍କାର ପରବର୍ତ୍ତୀ ୫ ବର୍ଷ ମଧ୍ୟରେ ନେଟୱର୍କ ବିଶ୍ୱସନୀୟତା, କାର୍ଯ୍ୟକ୍ଷମତା, ବୈଷୟିକ ହସ୍ତକ୍ଷେପ ଏବଂ ଗ୍ରାହକ ସେବା ପ୍ରଦାନ ପ୍ରକ୍ରିୟା କିଭଳି ବିକଶିତ ହୋଇଥିବ ଏହି ରିପୋର୍ଟରେ ଅନୁଧ୍ୟାନ କରାଯାଇଛି। ନିରନ୍ତର ପୁଞ୍ଜି ବିନିଯୋଗ, ନେଟୱର୍କର ଆଧୁନିକୀକରଣ ଏବଂ ବିତରଣ ନେଟୱର୍କରେ ଡିଜିଟାଲ୍ ବୈଷୟିକ ଜ୍ଞାନକୌଶଳର କ୍ରମାଗତ ବ୍ୟବହାର ଯୋଗୁ ମିଳିଥିବା ସୁଫଳକୁ ଏହି ଅଧ୍ୟୟନରେ ମୂଲ୍ୟାଙ୍କନ କରାଯାଇଛି। ଏହି ଅଧ୍ୟୟନଟି ଆଇଆଇଟି ଭୁବନେଶ୍ୱରର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଚନ୍ଦ୍ରଶେଖର ଭେଣ୍ଡେ, ଆସୋସିଏଟ୍ ପ୍ରଫେସର ଡ. ଚନ୍ଦ୍ରଶେଖର ପେରୁମାଲ୍ଲା ଏବଂ ଆସିଷ୍ଟାଣ୍ଟ ପ୍ରଫେସର ଡ. ଅଭିନୀତ ପ୍ରକାଶଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି। ସେଣ୍ଟ୍ରାଲ ଓଡ଼ିଶାର ୨୯,୩୫୪ ବର୍ଗ କିଲୋମିଟର ପରିବ୍ୟାପ୍ତ ଅଞ୍ଚଳରେ ୧.୩୬ କୋଟି ଜନସାଧାରଣଙ୍କୁ ସେବା ଯୋଗାଉଥିବା ଟିପିସିଓଡିଏଲର କାର୍ଯ୍ୟଦକ୍ଷତାକୁ ଏଥିରେ ପରଖାଯାଇଛି। ଅଧ୍ୟୟନରେ ବିଦ୍ୟୁତ ବିଭ୍ରାଟ ସମୟରେ ଆସିଥିବା ଉଲ୍ଲେଖନୀୟ ହ୍ରାସ, ଯାହା ସମୀକ୍ଷା ସମୟ ମଧ୍ୟରେ ‘ସିଷ୍ଟମ ଆଭେରେଜ୍ ଇଣ୍ଟରପ୍ସନ ଡ୍ୟୁରେସନ୍ ଇଣ୍ଡେକ୍ସରେ ପ୍ରାୟ ୫୦% ସୁଧାର ମାଧ୍ୟମରେ ପ୍ରତିଫଳିତ ହୋଇଛି। ଟ୍ରାନ୍ସଫର୍ମର ଟ୍ରିପିଂ ଏବଂ ପୋଡ଼ିଯିବା ହାର ମଧ୍ୟ ହ୍ରାସ ପାଇଛି। ସଂସ୍କାର ସମୟର ପ୍ରାରମ୍ଭରେ ପ୍ରାୟ ୩୦% ଥିବା ଏଗ୍ରିଗେଟ୍ ଟେକ୍ନିକାଲ୍ ଆଣ୍ଡ କମର୍ସିଆଲ (ଏଟିଆଣ୍ଡସି) କ୍ଷତି ଆର୍ଥତ୍କ ବର୍ଷ ୨୦୨୫ ସୁଦ୍ଧା ୧୮.୯୪%କୁ ହ୍ରାସ ପାଇଛି। ଉନ୍ନତ କାର୍ଯ୍ୟକ୍ଷମ ନିୟନ୍ତ୍ରଣ, ବିଲିଂ ପ୍ରକ୍ରିୟାରେ ସୁଧାର ଏବଂ ନେଟ୍ୱର୍କ ଦକ୍ଷତା ବୃଦ୍ଧି ଯୋଗୁ ଏହି ସଫଳତା ମିଳିଛି। ଏହି ସମୟ ମଧ୍ୟରେ ୩୩ କେଭି ଫିଡରରେ ୪୪% ଏବଂ ୧୧ କେଭି ଫିଡରରେ ୪୨% ବୃଦ୍ଧି ସହ ୨୫୦ଟି ସବ୍ଷ୍ଟେଶନକୁ ଏକ କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷ ସହିତ ସଂଯୁକ୍ତ କରାଯାଇଛି। ଗତ ୫ ବର୍ଷ ମଧ୍ୟରେ ୧,୫୦୦ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ସବ୍ଷ୍ଟେଶନ ଗୁଡ଼ିକର ସୁଦୃଢ଼ୀକରଣ, ଅଟୋମେସନ୍ ପରିସର ବୃଦ୍ଧି, ଡିଜିଟାଲ୍ ମନିଟରିଂ ପ୍ଲାଟଫର୍ମ ଏବଂ ସାମଗ୍ରିକ ନେଟୱର୍କ ସ୍ଥିରତା ପାଇଁ ବ୍ୟୟ କରାଯାଇଛି।