ଜରିମାନାକୁ ବେଖାତିର, ନଡ଼ା ଜାଳିବା ଘଟଣାରେ ୨୧୮ ପ୍ରତିଶତ ବୃଦ୍ଧି …

ଚଣ୍ଡିଗଡ଼,୨୭।୧୦: ଜରିମାନା ନେଇ ଲୋକଙ୍କ ମଧ୍ୟରେ ଆଉ ଭୟ ନାହିଁ। ଜରିମାନାକୁ ବେଖାତିର କରି ଲୋକେ ନଡ଼ା ଜାଳିବା ଜାରି ରଖିଛନ୍ତି। ଏହା ଯୋଗୁ ହେଉଥିବା ବାୟୁୁ ପ୍ରଦୂଷଣକୁ ମଧ୍ୟ ଲୋକଙ୍କର ନିଘା ନାହିଁ। ପଞ୍ଜାବରେ ଗୋଟିଏ ସପ୍ତାହରେ ନଡ଼ା ଜାଳିବା ଘଟଣାରେ ୨୧୮ ପ୍ରତିଶତ ବୃଦ୍ଧି ଘଟିଛି। ଏହା ଦ୍ୱାରା ଦିଲ୍ଲୀ ଏନ୍‌ସିଆର୍‌ ସମେତ ଅନ୍ୟ ପଡ଼ୋଶୀ ରାଜ୍ୟରେ ବାୟୁ ପ୍ରଦୂଷଣ ସମସ୍ୟା ବଢ଼ିବାରେ ଲାଗିଛି।

ରାଜ୍ୟରେ ଧାନ ଅମଳ ଏବଂ ଗହମ ବୁଣିବା ସହିତ କ୍ଷେତରେ ନଡ଼ା ଜାଳିବା ଘଟଣା ଯଥେଷ୍ଟ ବୃଦ୍ଧି ପାଇଛି। ପ୍ରତିବର୍ଷ ଏହା ଯୋଗୁ ବାୟୁ ପ୍ରଦୂଷଣ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲେ ମଧ୍ୟ ଲୋକେ ସଚେତନ ହେଉ ନାହାନ୍ତି।

ପଞ୍ଜାବ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ପିପିଏସବି) ଅନୁଯାୟୀ, ସେପ୍ଟେମ୍ବର ୧୯ ରୁ ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୨,୯୪୨ଟି ନଡ଼ା ପୋଡ଼ି ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ତରନ ତାରନରେ ୭୨୮, ଅମୃତସରରେ ୬୬୫, ପଟିଆଲାରେ ୨୭୯, ଲୁଧିଆନାରେ ୧୮୬, ଗୁରୁଦାସପୁରରେ ୧୫୮ ଟି ନଡ଼ା ପୋଡି ମାମଲା ରହିଛି। ପଠାନକୋଟରେ ଏ ପର୍ଯ୍ୟନ୍ତ କୌଣସି ନଡ଼ା ପୋଡ଼ି ଘଟଣା ସାମ୍ନାକୁ ଆସିନାହିଁ।

ଇତିମଧ୍ୟରେ ଅକ୍ଟୋବର ୧୯ ପର୍ଯ୍ୟନ୍ତି ୪୪୩ ମାମଲାରେ ୧୩.୪୬ ଲକ୍ଷ ଟଙ୍କାର ଜରିମାନା ଆଦାୟ କରାଯାଇଥିବା ପଞ୍ଜାବ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କୁହାଯାଇଛି।

ଆସନ୍ତା ୨୦୨୨ ବର୍ଷରେ ପଞ୍ଜାବରେ ନିର୍ବାଚନ ଅନୁଷ୍ଠିତ ହେବ। ତେଣୁ ଚଳିତ ବର୍ଷ ଅନ୍ୟ ବର୍ଷ ପରି ନଡ଼ା ଜଳାଇବା ଘଟଣାର ଅଧିକ ଏଫଆଇଆର୍‌ ପଞ୍ଜିକୃତ ହେଉନାହିଁ। ପୂର୍ବରୁ ବାୟୁ ଅଧିନିୟମ ୧୯୮୧, ସିଆର୍‌ ପିସିର ଧାରା ୧୮୮ ଅନ୍ତର୍ଗତ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଆଦେଶକୁ ଅବମାନନା କରାଯାଉଥିବା ଅନ୍ତର୍ଗତ ମାମଲା ପଞ୍ଜିକୃତ ହେଇଥିଲା। ମାତ୍ର ଏବେ ରାଜନୈତିକ ଦୃଷ୍ଟିକକୋଣରୁ ଏଭଳି ମାମଲାର ପଞ୍ଜିକରଣରେ ଅବହେଳା କରାଯାଉଥିବା ଅଭିଯୋଗ ହେଉଛି।

Share