ମୃତଦେହ ପରିବହନ ବ୍ୟବସ୍ଥାକୁ ଅଣଦେଖା

ନୟାଗଡ଼, ୧୮ା୬(ଲୋକନାଥ ମିଶ୍ର) ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରୁ ମୃତ ବ୍ୟକ୍ତିଙ୍କୁ ଘରକୁ ନେବା ପାଇଁ କୌଣସି ବ୍ୟବସ୍ଥା ନାହିଁ ା ସରକାର, ଜିଲା ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଆଖିବୁଜି ଦେଇଥିବାରୁ ବିଭିନ୍ନ ସମୟରେ ବାଇକ୍‌, ଟ୍ରଲି, ରିକ୍ସା କିମ୍ବା ଘରୋଇ ଯାନବାହନରେ ମୃତଦେହ ନିଆଯାଉଥିବା ଲୋକଲୋଚନକୁ ଆସୁଛି। ଅନ୍ୟପକ୍ଷେ ମୃତଦେହ ପରିବହନ ପାଇଁ ସରକାର ଯୋଗାଇଥିବା ମହାପ୍ରୟାଣ ଗାଡ଼ି ଅଧିକାଂଶ ସମୟରେ ଅଚଳ ରହୁଛି। ନୟାଗଡ଼ ମ୍ୟୁନିସିପାଲିଟି ପକ୍ଷରୁ ମହାପ୍ରୟାଣ ସେବା ଯୋଗାଇ ଦିଆଯାଉଥିବାବେଳେ ଏହା ପ୍ରହସନ ପାଲଟିଛି ବୋଲି ଅଭିଯୋଗ ହୋଇଛି। ସବୁବେଳେ ଯଦି ମହାପ୍ରୟାଣ ଗାଡ଼ି ଖରାପ ତେବେ ଏହି ସେବାକୁ ବନ୍ଦ କରି ଦିଆଯାଉ ବୋଲି ମତପ୍ରକାଶ ପାଇଛି। ସେହିଭଳି ଘରୋଇ ଆମ୍ବୁଲାନ୍ସରେ ମୃତଦେହ ଓ ରୋଗୀମାନଙ୍କୁ ନିଆଯାଉଥିବାବେଳେ ପ୍ରତିବାଦର ସ୍ବର ଉଠୁନି । ଗୋଟିଏ ଗାଡ଼ିରେ ଦୁଇ ପ୍ରକାରର କାର୍ଯ୍ୟ ଠିକ୍‌ ହୋଇ ନ ଥିଲେ ହେଁ ଏହି ସେବା ବହୁ ଦିନ ଧରି ଚାଲି ଆସିଛି। ଅନ୍ୟପକ୍ଷେ ଜିଲା ମୁଖ୍ୟ ଚିକିସତ୍ାଳୟ ପରିସରରେ ମୋ ସରକାର ୧୦୦ ଶଯ୍ୟା ବିଶିଷ୍ଟ ୬ମହଲା ବିଶିଷ୍ଟ କୋଠା ଘର ନିର୍ମାଣ କରିବା ପାଇଁ ଘୋଷଣା କରିବା ସମୟରେ ୨ଟି ଆମ୍ବୁଲାନ୍ସ ଦେବାକୁ ଘୋଷଣା କରିଥିଲେ। ପରିବର୍ତ୍ତିତ ପରିସ୍ଥିତିରେ ୧୦୦ ଶଯ୍ୟା ବିଶିଷ୍ଟ ୬ମହଲା ବିଶିଷ୍ଟ କୋଠା ଘର ନିର୍ମାଣ ହୋଇ ସାରିଛି, ଗୋଟିଏ ଆମ୍ବୁଲାନ୍ସ ମିଳି ସାରିଛି । ତେବେ ଜିଲା ମୁଖ୍ୟ ଚିକିତ୍ସାଳୟ ପାଇଁ ମୋ ସରକାର ମୃତଦେହ ପରିବହନ ଗାଡ଼ି ଦେବାକୁ ଭୁଲି ଯାଇଛନ୍ତି। ପୁଣି ନୟାଗଡ଼ ରୋଟାରୀ ପକ୍ଷରୁ ଏକ ସ୍ବର୍ଗରଥ ବ୍ୟବସ୍ଥା ହୋଇଥିଲା। ଏହି ସେବା ପ୍ରାୟ ୧୦ ବର୍ଷ ହେଲା ବନ୍ଦ ରହିଛି । ରୋଟାରୀର ଆମ୍ବୁଲାନ୍ସ ଗାଡ଼ିରେ ମୃତଦେହ ପରିବହନ ଓ ଗୁରୁତର ରୋଗୀଙ୍କୁ ନେବା ଆଣିବା କରାଯାଉଛି ।