ଭୟ ଦୂରେଇଲେ କର୍କଟରୁ ମୁକ୍ତି ପାଇହେବ

ସେପ୍ଟେମ୍ବର ୨୨, ଓ୍ବାଲର୍‌ଡ ରୋଜ୍‌ ଡେ’। କାନାଡ଼ାର ମେଲିଣ୍ଡା ରୋଜ୍‌ଙ୍କ ସ୍ମୃତିରେ ଏହି ଦିବସଟି ପାଳିତ ହୋଇଆସୁଛି। ମେଲିଣ୍ଡା ୧୨ ବର୍ଷ ବୟସରେ କର୍କଟରେ ପୀଡ଼ିତ ହୋଇ ନିଜେ ଚିକିତ୍ସିତ ହେବା ସହ ଅନ୍ୟ ରୋଗୀଙ୍କୁ ପ୍ରେରଣା ଦେଉଥିଲେ। ଠିକ୍‌ ସେହିପରି କର୍କଟରେ ପୀଡ଼ିତ ହେବା ସମୟରେ ଏବଂ ସୁସ୍ଥ ହେବା ପରେ ଅନ୍ୟ ରୋଗୀଙ୍କୁ ପ୍ରେରଣା ଦେଉଛନ୍ତି କଟକ ବିଡ଼ାନାସୀ କୁମ୍ଭାରସାହି ଅଞ୍ଚଳର ସ୍ବାଗତିକା ଆଚାର୍ଯ୍ୟ। ମନୋରଞ୍ଜନ ଆଚାର୍ଯ୍ୟ ଓ ପୂର୍ଣ୍ଣିମା ମହାପାତ୍ରଙ୍କ ଝିଅ ଏବଂ ବାଲେଶ୍ୱର ଅଞ୍ଚଳର ଶୁଭ୍ରଜିତ ଜେନାଙ୍କ ସ୍ତ୍ରୀ ସ୍ବାଗତିକା। ୧୯ ବର୍ଷ ବୟସରେ ଲ’ ପଢୁଥିବାବେଳେ ସେ ନାଜୋଫାରିଙ୍କ୍ସ କର୍କଟରେ ପୀଡ଼ିତ ଥିବା ଜାଣିବାକୁ ପାଇଥିଲେ। ଅନ୍ୟ ରୋଗୀଙ୍କ ପରି ସେ ଭାଙ୍ଗି ନ ପଡ଼ି ଆତ୍ମବିଶ୍ୱାସ ବଢ଼ାଇ ଚିକିତ୍ସା କରାଇଥିଲେ। ଏବେ କର୍କଟରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ସ୍ବାଗତିକା ନିଜେ ଚିକିତ୍ସିତ ହେଉଥିବାବେଳେ ଅନ୍ୟ କର୍କଟ ରୋଗୀଙ୍କ ପାଖକୁ ଯାଇ ସେମାନଙ୍କ ଆତ୍ମବିଶ୍ୱାସ ବଢ଼ାଉଥିଲେ।ଏବେ ମଧ୍ୟ କର୍କଟ ରୋଗୀଙ୍କ ପାଖକୁ ଯାଇ ସେମାନଙ୍କୁ ପ୍ରେରଣା ଦେଉଛନ୍ତି। ୨୦୨୦ କୋଭିଡ୍‌ ସମୟରୁ ସ୍ବାଗତିକା ଆୱାକେନ ନାମକ ଏକ ସଂସ୍ଥା ଦ୍ୱାରା କର୍କଟ ରୋଗୀଙ୍କୁ ସଚେତନ କରାଇ ଆସୁଛନ୍ତି। ଏ ସମ୍ପର୍କରେ ସ୍ବାଗତିକା କହିଛନ୍ତି, ମୁଁ ଚିକିତ୍ସିତ ହେବାବେଳେ ରୋଜ୍‌ ଡେ’ ବିଷୟରେ ଜାଣିବା ପରଠୁୁ ସେହି ସ୍ଥାନରେ ଅନ୍ୟ କର୍କଟ ରୋଗୀଙ୍କୁ ଗୋଲାପ ଫୁଲ ଦେଇ ପ୍ରେରଣା ଦେଉଥିଲି। କର୍କଟରୁ ଆରୋଗ୍ୟ ସମ୍ଭବପର, କେବଳ ଭୟ ଦୂରେଇ ଦେଲେ ଏହି ରୋଗରୁ ବଞ୍ଚିବା ସହଜ ହୋଇଥାଏ। ଏଭଳି ବାର୍ତ୍ତା ନେଇ ପ୍ରତିବର୍ଷ କ୍ୟାନ୍ସର ହସ୍ପିଟାଲରେ ‘ରୋଜ୍‌ ଡେ’ ପାଳିଥାଉ। କର୍କଟ ପୀଡ଼ିତଙ୍କ ପାଖକୁ ଯେତେବେଳେ ଯାଏ ସେମାନେ ବହୁତ କାନ୍ଦନ୍ତି। ସେମାନଙ୍କ ମନୋବଳକୁ ବଢାଇବା ଲାଗି ମୋ ନିଜର ସଂଘର୍ଷ କାହାଣୀ ବଖାଣିଥାଏ। ମୋଠୁ ଶୁଣିବା ପରେ ସେମାନଙ୍କ ମୁହଁରେ ହସ ଫୁଟିଥାଏ। ଚଳିତବର୍ଷ ରୋଜ୍‌ ଡେ’ ଅବସରରେ ଶିଶୁ କର୍କଟ ପୀଡ଼ିତଙ୍କୁ ବିଧାନସଭା ପରିଦର୍ଶନ କରାଇବାକୁ ଯୋଜନା କରାଯାଉଛି।
-ରିପୋର୍ଟ:ଶିଳ୍ପା ପ୍ରିୟଦର୍ଶିନୀ, କଟକ