ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ଗ୍ରହର ସମ୍ବନ୍ଧ କୌଣସି ନା କୌଣସି ପ୍ରାଣୀଙ୍କ ସହିତ ରହିଥାଏ। ଫଳରେ ସେହି ପ୍ରାଣୀମାନଙ୍କର ସେବା କଲେ, ସେମାନଙ୍କୁ ଖାଇବାକୁ ଦେଲେ ଅନେକ ସୁଫଳ ମିଳେ।
ଯେମିତି କି:
* ରାହୁ ଦୋଷ ଥିଲେ ମାନସିକ ଚାପ, ସନ୍ଦେହ ବୃଦ୍ଧି ସହ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱ ଉପୁଜିଥାଏ। ଏଥିରୁ ମୁକ୍ତି ପାଇବାକୁ କୁକୁରଙ୍କ ଯତ୍ନ ନେବା ସହ ସେମାନଙ୍କୁ ଖାଇବାକୁ ଦେଲେ ଉପକାର ମିଳିଥାଏ ବୋଲି ବିଶ୍ୱାସ ରହିଛି।
* କେତୁ ଦୋଷରୁ ରକ୍ଷା ପାଇବାକୁ ବିଲେଇଙ୍କର ଯତ୍ନ ନେବା ଶୁଭ ହୋଇଥାଏ।
* କାର୍ଯ୍ୟରେ ବାରମ୍ବାର ବାଧା ଉପୁଜିବା, ସ୍ବାସ୍ଥ୍ୟ ସମସ୍ୟା, ଆର୍ଥିକ ସମସ୍ୟା ହେଉଥିଲେ ଶନି ଦୋଷ ଥାଏ ବୋଲି ବିଶ୍ୱାସ କରାଯାଏ। ଏଥିପାଇଁ ନିୟମିତ କାଉଙ୍କୁ ରୁଟି, ଚାଉଳ ଖାଇବାକୁ ଦେବା ଉତ୍ତମ ହୋଇଥାଏ।
* ବୃହସ୍ପତି ଦୋଷ ଥିଲେ ମାନସମ୍ମାନ, ପ୍ରତିଷ୍ଠା, ଧନ, ଜ୍ଞାନ ଆଦି କ୍ଷୁଣ୍ଣ ହୋଇଥାଏ। ଏଥିପାଇଁ ମାଛଙ୍କୁ ଦାନା ଅବା ଅଟାର ଛୋଟ ଛୋଟ ଗୁଳା କରି ଖାଇବାକୁ ଦେବା ଶୁଭ ହୋଇଥାଏ।
* ଉପସ୍ଥିତ ବୁଦ୍ଧି ଓ ବାକ୍ ସଂଯମତାର ଅଭାବ, ବ୍ୟବସାୟରେ କ୍ଷତି, ସମ୍ପର୍କ ହାନି ଆଦି ବୁଧ ଗ୍ରହର ଖରାପ ଚଳନ ଯୋଗୁ ଉପୁଜିଥାଏ। ଏଥିରୁ ମୁକ୍ତି ପାଇଁ ପକ୍ଷୀମାନଙ୍କ ସକାଶେ ଖାଦ୍ୟ-ପାନୀୟର ବ୍ୟବସ୍ଥା କରିବା ଏକ ବିକଳ୍ପ ହୋଇଥାଏ।
* ସୂର୍ଯ୍ୟଙ୍କଠାରୁ ଶନିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଶୁଭ ଦୃଷ୍ଟି ପାଇଁ ଗୋମାତାଙ୍କର ସେବା କରିବା ଏକ ଉତ୍ତମ ଲକ୍ଷଣ ହୋଇଥାଏ।
* ମଙ୍ଗଳ ଦୋଷ କଟାଇବା ପାଇଁ ପିମ୍ପୁଡିଙ୍କୁ ଅଟା ହେଉ ଅବା ମିଠା ଜାତୀୟ ଖାଦ୍ୟ ଖାଇବାକୁ ଦେବା ଶୁଭ ବୋଲି ବିଶ୍ୱାସ ରହିଛି।