‘ପ୍ରଚେଷ୍ଟା ଜାରି ରହିଲେ ସଫଳତା ଆପେ ଆପେ ମିଳିବ’ , ମହାବିଦ୍ୟାଳୟର ବାର୍ଷିକୋତ୍ସବରେ ଯୋଗ ଦେଇ ଏମିତି କହିଲେ…

ଭଞ୍ଜନଗର,୩/୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟର ୪୪ ତମ ବାର୍ଷିକୋତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଞ୍ଜନଗର ଡେପୁଟି କଲେକ୍ଟର ରଚିତା ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି, ନିଜକୁ ଆମେ କେବେହେଲେ ଛୋଟ ଭାବିବା ନାହିଁ। ସର୍ବଦା ଆମେ ଆମ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଚେଷ୍ଟା କରିବା। ପ୍ରଚେଷ୍ଟା ଜାରି ରହିଲେ ସଫଳତା ଆପେ ଆପେ ମିଳିବ। ତେଣୁ ପ୍ରଥମେ ନିଜେ ନିଜ ଗୋଡ଼ରେ ଠିଆ ହେବାକୁ ଚେଷ୍ଟା କରିବାକୁ ଡେପୁଟି କଲେକ୍ଟର ମହାପାତ୍ର ଉପସ୍ଥିତ ଛାତ୍ରୀମାନଙ୍କୁ ଆହ୍ବାନ ଦେଇଛନ୍ତି। ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ତଥା ଉକ୍ତ ମହାବିଦ୍ୟାଳୟର ପୂର୍ବତନ ପରିଚାଳନା କମିଟି ସଭାପତି ଡ. ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ସମୟ ବଦଳିବା ସହ ମହିଳାମାନେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଆଗକୁ ବଢ଼ୁଛନ୍ତି ବୋଲି କହିଛନ୍ତି। ଦିନ ଥିଲା ମହିଳାମାନେ ଘରୁ ବାହାରିବାକୁ ସଙ୍କୋଚ କରୁଥିଲେ। ଆଜି ଆଉ ସେହି ସମୟ ନାହିଁ ବୋଲି ଡ. ତ୍ରିପାଠୀ କହିଛନ୍ତି। ଅଧ୍ୟକ୍ଷା ଡ. ସ୍ମିତା ରାଣୀ ପଣ୍ଡା ସଭାରେ ଅଧ୍ୟକ୍ଷତା କରିବା ସହ ମହାବିଦ୍ୟାଳୟ ଛାତ୍ରୀମାନେ କିଭଳି ବିଭିନ୍ନ କ୍ଷେତ୍ରରେ ଆଗକୁ ବଢିଛନ୍ତି ଏବଂ ମହାବିଦ୍ୟାଳୟ ଉନ୍ନତୀ କ’ଣ ହୋଇଛି ସେନେଇ କହିଛନ୍ତି। ଉପସଭାପତି ଅଧ୍ୟାପକ ସନ୍ତୋଷ କୁମାର ମହାନ୍ତି ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ। ସଭାକୁ ଛାତ୍ରୀ ସ୍ମରଣିକା ପଣ୍ଡା ସଂଯୋଜନା କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି ଅବସରରେ ଅବସରପ୍ରାପ୍ତ ପ୍ରଧ୍ୟାପିକା ଆରତୀବାଳା ପ୍ରଧାନ, ପ୍ରଧ୍ୟାପିକା ପୁଷ୍ପାଞ୍ଜଳି ପଟ୍ଟନାୟକ, ସଂଯୁକ୍ତା ପଟ୍ଟନାୟକ, ସନ୍ଧ୍ୟାରାଣି ପ୍ରଧାନ, ଉର୍ମିଳା ପାଟଯୋଷି,ମଞ୍ଜୁ ପ୍ରଭା ଦାସ, ପ୍ରଧ୍ୟାପକ ଅରବିନ୍ଦ ଦାସ, ଅଧ୍ୟାପକ ଅମୂଲ୍ୟ ଶତପଥି,ପ୍ରେମଚାନ୍ଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily