ଭଞ୍ଜନଗର,୧୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଶ୍ରୀଅରବିନ୍ଦ ଶକ୍ତିପୀଠ ପରିସରରେ ରବିବାର ଲାଲସିଂ ଆନନ୍ଦମୟୀ ମହିଳା ପାଠଚକ୍ରର ୨୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲାର ବିଭିନ୍ନ ପାଠଚକ୍ରରୁ ଶତାଧିକ ମହିଳା କର୍ମକର୍ତ୍ତା ଯୋଗ ଦେଇଥିଲେ। ସାବୁଳିଆ ପାଠଚକ୍ରର ବରିଷ୍ଠ କର୍ମକର୍ତ୍ତା ଗୀତାଞ୍ଜଳି ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାତୃ ପତାକା ଉତ୍ତୋଳନ କରିଥିଲେ। କବିସୂର୍ଯ୍ୟନଗର ପାଠଚକ୍ରର ସରୋଜୁ ଅପା, ଭୁବନେଶ୍ୱରରୁ ଆସିଥିବା ପଙ୍କଜିନି ସେନାପତି ଅତିଥି ଭାବେ ଯୋଗ ଦେଇଥିଲେ।
ଆଧ୍ୟାତ୍ମିକ ଶକ୍ତି ଦ୍ୱାରା ରୋଗ ନିବାରଣ, ମହିଳା ପାଠଚକ୍ର କାହିଁକି ଓ ତା’ର ଉଦ୍ଦେଶ୍ୟ ଉପରେ ଆଲୋଚନା ହୋଇଥିଲା। ପରିବାର ଚଳିବା ପାଇଁ ମହିଳାମାନଙ୍କ ଆବଶ୍ୟକତା ରହିଛି। ବର୍ତ୍ତମାନର ଯୁବପିଢ଼ି ଆଧ୍ୟାତ୍ମିକକୁ ଛାଡ଼ି ଆଧୁନିକତା ଉପରେ ଗୋଡ଼ାଇଛନ୍ତି। ଏହାଦାରା ଯୁବ ସମାଜ ପଥଭ୍ରଷ୍ଟ ହୋଇ ନିଜ ଭବିଷ୍ୟତକୁ ଅନ୍ଧକାରମୟକୁ ଠେଲି ଦେଉଛନ୍ତି। ସେମାନଙ୍କୁ ସଚେତନ କରି ସମାଜର ମୁଖ୍ୟସ୍ରୋତକୁ ଫେରାଇ ଆଣିବାକୁ ପଡ଼ିବ। ମହିଳାମାନେ ସଚେତନ ହେଲେ ପରିବାର ଦିବ୍ୟ ହେବ। ଆମେ ଅତିମାନସର ଯେଉଁ ସ୍ବପ୍ନ ଦେଖୁଛନ୍ତି ତାହା ସାକାର ହୋଇପାରିବ ବୋଲି ବକ୍ତାମାନେ କହିଥିଲେ।
ମଧୁସ୍ମିତା ସାହୁ ଦୁର୍ଗା ସ୍ତୋତ୍ର ପଠନ କରିଥିଲେ। ବାର୍ଷିକ ବିବରଣୀ ରତ୍ନ ମଞ୍ଜରୀ ପଣ୍ଡା ପଠନ କରିଥିବା ବେଳେ ଧ୍ୟାନ ପ୍ରାର୍ଥନା ପଙ୍କଜିନି ସେନାପତି କରିଥିଲେ । ଜ୍ୟୋତିର୍ମୟୀ ପ୍ରଧାନ ସଭାକୁ ସଂଯୋଜନା କରିଥିଲେ। ମାତୃ ବନ୍ଦନା ଆସିକା ପାଠଚକ୍ରର ପାଣ୍ଡବ ରେଡ୍ଡୀ ପଠନ କରିଥିବା ବେଳେ ସୁନନ୍ଦା ବେହେରା ଶେଷ ବନ୍ଦନା ପଠନ କରିଥିଲେ। ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ କୃତୀବାସ ବିଶାଳ, ପ୍ରାଧ୍ୟାପକ ବିଭାସ ଦାସ, ମ୍ୟାନେଜିଂ ଟ୍ରଷ୍ଟି ବି. ପ୍ରଧାନ, କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ବେହେରା, ବିଦେଶୀ ସାହୁ, ସୁବାସ ଭାଇ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।