୩ମାସ ଭିତରେ କାମ ନ ହେଲେ ଆନ୍ଦୋଳନ: ଏଭଳି ଚେତାବନୀ ଦେଲେ ଭକ୍ତ

ନୂଆପଡ଼ା,୪ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ୍‌ ଅନ୍ତର୍ଗତ ଘାଟିପଡ଼ାସ୍ଥିତ ସାଇ କଲେଜ ମଣ୍ଡପଠାରେ ମଙ୍ଗଳବାର ନୂଆପଡ଼ା ଉପନିର୍ବାଚନକୁ ନେଇ କଂଗ୍ରେସର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା କଂଗ୍ରେସ ସଭାପତି ଘାସିରାମ ମାଝିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସ, ଦେବଗଡ଼ ଜିଲା ସଭାପତି ସେମ ହେମରନ, ନୂଆପଡ଼ା ଜିଲା କଂଗ୍ରେସ ପ୍ରଭାରୀ ବିଜୟ ନନ୍ଦ ଚାଉଳିଆ, ଯୁବ ପ୍ରଭାରୀ ମୁରଲୀଧର ନାଏକ, ବରିଷ୍ଠ ନେତା କମଳ ଚରଣ ତାଣ୍ଡି, ଫକୀର ଜଗତ, ଫାରୁକ ମହମ୍ମଦ, ଦିବ୍ୟସିଂ ମାଝି, ଦେବଦତ୍ତ ଦୀକ୍ଷିତ, ଯୁବ କଂଗ୍ରେସ ଜିଲା ସଭାପତି ଅମିତ ଅହୀର, ଯୁବ କଂଗ୍ରେସ ରାଜ୍ୟ ସମ୍ପାଦକ ପାଶା ମହାନନ୍ଦ, ଶାହାରୁଖ ଖାନ, ମହିଳା ନେତ୍ରୀ ପ୍ରତିଭା ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ। ଉପନିର୍ବାଚନ ସମୟରେ ଶାସକ ଦଳ ଘୋଷଣା କରିଥିବା କାର୍ଯ୍ୟ ୩ମାସ ମଧ୍ୟରେ ଆରମ୍ଭ ନ ହେଲେ ଦଳ ଆନ୍ଦୋଳନକୁ ଓହ୍ଲାଇବ ବୋଲି ପିସିସି ସଭାପତି ଦାସ ସୂଚନ ଦେଇଥିଲେ। ସେ ଆହୁରି କହିଥିଲେ, ଉପନିର୍ବାଚନକୁ ଶାସକ ଦଳର ପ୍ରଶାସନିକ କଳ, ବାହୁବଳ, ଅର୍ଥବଳ ଭୋଟରଙ୍କୁ ପ୍ରଭାବିତ କରିଥିଲା। ଦଳର ବରିଷ୍ଠ ନେତା ଓ କର୍ମକର୍ତ୍ତାଙ୍କ ଶ୍ରେଷ୍ଠ ପ୍ରୟାସ ସତ୍ତ୍ୱେ ଆମ ଦଳ ପଛରେ ରହିଲା। ୨୫ ବର୍ଷର ଶାସନ କରିଥିବା ବିଜେଡିକୁ ପଛରେ ପକାଇ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଭୂମିକା ହାସଲ କରିବା ଆମର ବଡ଼ ଉପଲବ୍ଧି। ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳ ଶତ ପ୍ରତିଶତ ଭଲ ପ୍ରଦର୍ଶନ କରିବ। ରାଜ୍ୟର ମହିଳାଙ୍କ ସୁରକ୍ଷା, ଶ୍ରମିକ, ଚାଷୀ, ଯୁବ, ଛାତ୍ର ଓ ପଛୁଆ ବର୍ଗଙ୍କ ସ୍ବାର୍ଥ ରକ୍ଷା, ଅଧିକାର ଓ ନ୍ୟାୟ ପାଇଁ କଂଗ୍ରେସ ସଂଘର୍ଷ ଜାରି ରଖିବ। ଶାସକ ଦଳ ନିର୍ବାଚନ ଜିତିବା ପାଇଁ ବାହାବା ନେଇ ୧୧ ଶହ କୋଟିର ଉନ୍ନୟନ ପ୍ରକଳ୍ପ ଓ ଭିତ୍ତିପ୍ରସ୍ତର ସ୍ଥାପନକରି ନୂଆପଡ଼ାଠାରେ ମେଡିକାଲ କଲେଜ ଖୋଲିବା ପାଇଁ ଘୋଷଣା କରିଛନ୍ତି। ଏହାସହ ଖରିଆର ରୋଡ୍‌କୁ ମ୍ୟୁନିସିପାଲିଟି ଓ କୋମନାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ କରାଯିବା କାର୍ଯ୍ୟ ଆଗାମୀ ୩ ମାସ ମଧ୍ୟରେ କାର୍ଯ୍ୟକାରୀ ନ ହେଲେ କଂଗ୍ରେସ ଆନ୍ଦୋଳନ କରିବ ବୋଲି ପିସିସି ସଭାପତି ଦାସ କହିଛନ୍ତି। ଜିଲା ପରିଷଦ ସଦସ୍ୟ ଭରତ ଲାଲ ରାଉତ ସଭା ପରିଚାଳନା କରିଥିଲେ। ଯୁବନେତା ସୌରଭ ଚନ୍ଦ୍ରକାର, ବିମଳ ସାହୁ, କରୁଣାକର ଚଣ୍ଡୀ, ଆଲୋକ ଗୁରୁ, ବିକ୍ରମ ବିଶାଳ, ହୀରାଲାଲ ପଟେଲ ଉପସ୍ଥିତ ଥିଲେ।

Dharitri – The Largest & Most Trusted Odia Daily