‘ପୋପ୍‌ ଲାଇକ୍‌ କଲେ, ସ୍ବର୍ଗକୁ ଯିବି’

ଭାଟିକାନ୍‌ ସିଟି,୨୩ା୧୧:ରୋମାନ୍‌ କ୍ୟାଥୋଲିକ୍‌ ଚର୍ଚ୍ଚର ସର୍ବୋଚ୍ଚ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ଙ୍କ ଅଫିସିଆଲ୍‌ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରୁ ଏକ ଉତ୍ତେଜକ ଫଟୋକୁ ଲାଇକ୍‌ କରାଯିବା ପରେ ବିବାଦ ମୁଣ୍ଡ ଟେକିଛି। ଫଟୋଟି ହେଉଛି ବ୍ରାଜିଲୀୟ ମଡେଲ ନଟାଲିଆ ଗରିବୋଟୋଙ୍କର, ଯେଉଁଠି ସେ ସ୍କୁଲ ୟୁନିଫର୍ମ ପିନ୍ଧିଛନ୍ତି। ସେ ଏପରି ଭାବେ ପୋଷାକ ପରିଧାନ କରିଛନ୍ତି ଯେ, ଫଟୋରେ ତାଙ୍କର ନିତମ୍ବ ଦେଖାଯାଉଛି। ପୋପ୍‌ ଏହି ଫଟୋକୁ ଲାଇକ୍‌ କରି କମେଣ୍ଟ ଦେଇଥିବା ସ୍କ୍ରିନ୍‌ଶଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଖ୍ରୀଷ୍ଟିଆନମାନଙ୍କ ସବୁଠୁ ବଡ଼ ଧର୍ମଗୁରୁ ଏପରି ଏକ ସେକ୍ସି ଫଟୋକୁ କିପରି ଲାଇକ୍‌ କଲେ ବୋଲି ଅନେକେ ସମାଲୋଚନା କରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ବିବାଦ ସୃଷ୍ଟି ହେବା ପରେ ଭାଟିକାନ ଏହାର ତଦନ୍ତ ଆରମ୍ଭ କରିଛି। ମଡେଲ୍‌ ନଟାଲିଆ କହିଛନ୍ତି, ‘ପୋପ୍‌ ମୋ ଫଟୋ ଲାଇକ୍‌ କରିଛନ୍ତି। ତେଣୁ ମୁଁ ସ୍ବର୍ଗକୁ ଯିବା ନିଶ୍ଚିତ’।
ଫଟୋରେ ୨୭ ବର୍ଷୀୟା ବିକିନି ମଡେଲ୍‌ ତଥା ଇନ୍‌ଫ୍ଲୁଏନ୍ସର ନଟାଲିଆ ଗରିବୋଟୋ ସ୍କୁଲ ଗର୍ଲ ୟୁନିଫର୍ମ ପିନ୍ଧି ପୁସ୍ତକଗୁଡ଼ିକୁ ଲକର୍‌ରେ ରଖୁଥିବା ଦେଖିବାକୁ ମିଳିଛି। ଏହାକୁ ସେ ଅକ୍ଟୋବର ୫ରେ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ। କ୍ୟାଥୋଲିକ୍‌ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ଙ୍କ ଅଫିସିଆଲ ଆକାଉଣ୍ଟ @franciscusରୁ ଏହାକୁ ଲାଇକ୍‌ କରାଯାଇ କ୍ୟାପ୍ସନ ଲେଖାଯାଇଥିଲା ‘ମୁଁ ତୁମକୁ ଗୋଟିଏ କିମ୍ବା ଦୁଇଟି ଶିକ୍ଷା ଦେଇପାରିବି’। କ୍ୟାଥୋଲିକ୍‌ ଧର୍ମଗୁରୁ ଏହାକୁ ଲାଇକ୍‌ କରିବା ପରେ ବହୁ ସଂଖ୍ୟକ ୟୁଜର୍ସ ଆଗ୍ରହ ଦେଖାଇ ପସନ୍ଦ କରିବାରେ ଲାଗିଛନ୍ତି। ଅନେକେ ଏହା ଉପରେ କମେଣ୍ଟ ମଧ୍ୟ ଦେଉଛନ୍ତି। ଟ୍ରୋଲ୍‌ ହେବା ପରେ ନଟାଲିଆ କହିଛନ୍ତି, ତାଙ୍କ ମା’ ଉକ୍ତ ଫଟୋକୁ ପ୍ରତ୍ୟାଖ୍ୟାନ କରିଥିବାବେଳେ ପୋପ୍‌ ଏହାକୁ ପସନ୍ଦ କରିଛନ୍ତି। ତାଙ୍କୁ ପୋପ୍‌ଙ୍କ ଆଶୀର୍ବାଦ ମିଳିଥିବାରୁ ସେ ନିଜ ଫଲୋୟର୍ସଙ୍କ ସହ ଭାଟିକାନ୍‌ ଯିବେ। ଅନ୍ତତଃ ମୁଁ ସ୍ବର୍ଗକୁ ଯିବି ବୋଲି ସେ କହିଛନ୍ତି। ବିବାଦ ଉଠିବା ପରେ ନଭେମ୍ବର ୧୪ରେ ପୋପ୍‌ଙ୍କ ଆକାଉଣ୍ଟରୁ ଏହାକୁ ଅନ୍‌ଲାଇକ୍‌ କରି ଦିଆଯାଇଛି। ଫଟୋକୁ ଭୁଲ୍‌ରେ ଲାଇକ୍‌ କରାଯାଇଥିଲା ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ପୋପ୍‌ଙ୍କ ଆକାଉଣ୍ଟରୁ ସ୍ବଳ୍ପ ବସ୍ତ୍ର ପରିହିତା ମଡେଲଙ୍କ ଫଟୋକୁ କିପରି ଲାଇକ୍‌ କରାଯାଇଥିଲା ସେନେଇ ଇନ୍‌ଷ୍ଟାଗ୍ରାମକୁ ସ୍ପଷ୍ଟୀକରଣ ମଗାଯାଇଥିବା ଭାଟିକାନ୍‌ ପକ୍ଷରୁ କୁହାଯାଇଛି। ଭାଟିକାନ୍‌ ଏହି ପ୍ରସଙ୍ଗରେ ତଦନ୍ତ ଆରମ୍ଭ କରିଛି।
ଇନ୍‌ଷ୍ଟାଗ୍ରାମ୍‌ରେ ନଟାଲିଆଙ୍କ ୨୪ ଲକ୍ଷରୁ ଅଧିକ ଫଲୋୟର୍ସ ଅଛନ୍ତି। ବହୁ ଲୋକ ତାଙ୍କ ଓ୍ବେବ୍‌ସାଇଟ୍‌ natagata.comର ପ୍ରାଇଭେଟ ମେମ୍ବର ମଧ୍ୟ ହୋଇଛନ୍ତି। ଉକ୍ତ ଓ୍ବେବ୍‌ସାଇଟ୍‌ରେ ବହୁସଂଖ୍ୟକ ଅଶ୍ଳୀଳ ଫଟୋ ଓ ଭିଡିଓ ରହିଛି। ଅନ୍ୟପକ୍ଷେ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋପ୍‌ଙ୍କ ୭୪ ଲକ୍ଷ ଫଲୋୟର୍ସ ରହିଛନ୍ତି। ତାଙ୍କ ଇନ୍‌ଷ୍ଟାଗ୍ରାମ ଓ ଟୁଇଟର୍‌ ଆକାଉଣ୍ଟକୁ କେତେଜଣ ବିଶ୍ୱସ୍ତ ପ୍ରଫେସନାଲ୍‌ ମିଶି ପରିଚାଳନା କରିଥାଆନ୍ତି ବୋଲି ଜଣାପଡ଼ିଛି।