ନେତାଜୀ ବଞ୍ଚିଥିଲେ ଏସ୍‌ଆଇଆର୍‌ ନୋଟିସ ପାଇଥାନ୍ତେ: ମମତା

କୋଲକାତା,୨୪ା୧: ଆଜିର ଦିନରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଯଦି ବଞ୍ଚତ୍ଥାଆନ୍ତେ ତେବେ ନିର୍ବାଚନ କମିଶନ (ଇସି) ତାଙ୍କୁ ଛାଡ଼ି ନ ଥାଆନ୍ତେ। ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଶୁଣାଣି ପାଇଁ ହାଜର ହେବାକୁ ଇସି ନେତାଜୀଙ୍କୁ ମଧ୍ୟ ନୋଟିସ ପଠାଇଥାନ୍ତେ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମାଲୋଚନା କରିଛନ୍ତି।
ନେତାଜୀ ଜୟନ୍ତୀ ପାଳନ ଅବସରରେ କୋଲକାତାର ରେଡ୍‌ ରୋଡ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମମତା କହିଛନ୍ତି, ଏସ୍‌ଆଇଆର୍‌ ପ୍ରକ୍ରିୟାରେ ନିୟୋଜିତ କର୍ମଚାରୀମାନେ ମରିବାରେ ଲାଗିଛନ୍ତି। ଅତ୍ୟଧିକ କାର୍ଯ୍ୟଚାପ ଓ ଦୁଶ୍ଚିନ୍ତା ଯୋଗୁ ଦିନକୁ ୩ରୁ ୪ ଜଣ ଲୋକ ଆତ୍ମହତ୍ୟା କରୁଛନ୍ତି। ରାଜ୍ୟରେ ଏସ୍‌ଆଇଆର୍‌ ଆରମ୍ଭ ହେବା ଦିନଠୁ ଅଦ୍ୟାବଧି ୧୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି। ସେହିପରି ୪୦ରୁ ୪୫ ଜଣ ହସ୍ପିଟାଲରେ ଜୀବନମୃତ୍ୟୁର ସଂଗ୍ରାମ କରୁଛନ୍ତି। ଏହି ଅସ୍ବାଭାବିକ ମୃତ୍ୟୁ ପାଇଁ ଇସି ଏବଂ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଉତ୍ତରଦାୟୀ ହେବା ଉଚିତ।
ଏତେ ଘଟଣା ଘଟିଯିବା ପରେ ଆମକୁ ଭାରତୀୟ ନାଗରିକତ୍ୱର ପ୍ରମାଣ ଦେବାକୁ ପଡ଼ୁଛି। ଲୋକଙ୍କ ଅଧିକାର ଛଡ଼ାଇ ନିଆଯାଉଛି ଏବଂ ଗଣତନ୍ତ୍ରକୁ ହତ୍ୟା କରାଯାଉଛି। ନେତାଜୀ ବଞ୍ଚତ୍ଥିଲେ ତାଙ୍କୁ ମଧ୍ୟ ଇସି ଏସ୍‌ଆଇଆର୍‌ ଶୁଣାଣି ପାଇଁ ନୋଟିସ ପଠାଇଥାନ୍ତେ। କେନ୍ଦ୍ର ସରକାର ନେତାଜୀ, ଗାନ୍ଧିଜୀ ଓ ଆମ୍ବେଡକରଙ୍କ ଭଳି ଜାତୀୟ ପ୍ରତୀକମାନଙ୍କୁ ଅପମାନିତ କରୁଛି। କ୍ଷମତାରେ ଥିବା ଲୋକେ ଦେଶର ଇତିହାସକୁ ଖରାପ ଚିତ୍ରଣ କରୁଥିବା ମମତା ସମାଲୋଚନା କରିଛନ୍ତି। ପଶ୍ଚିମବଙ୍ଗବାସୀ ଏପରି ଅପମାନକୁ ଗ୍ରହଣ କରିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି।

Dharitri – The Largest & Most Trusted Odia Daily