ମୁଁ ମୁହଁ ଖୋଲିଲେ ସବୁକିଛି ପଦାରେ ପଡ଼ିଯିବ…ଆଇପିଏଲ୍‌ ଫାଇନାଲ୍‌କୁ ନେଇ ମୋଦିଙ୍କୁ ଟାର୍ଗେଟ୍‌ କଲେ ମମତା

କୋଲକାତା, ୩୦।୫: IPL 2025 ର ଫାଇନାଲ ମ୍ୟାଚ ଜୁନ ୩ରେ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ପ୍ରଥମ କ୍ୱାଲିଫାୟର-୩ ଜିତି RCB ଦଳ ଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଛି। କ୍ୱାଲିଫାୟର-୨ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହିଁ ଖେଳାଯିବ ଏବଂ ସେହି ମ୍ୟାଚର ବିଜେତା ଦ୍ୱିତୀୟ ଫାଇନାଲିଷ୍ଟ ଦଳ ହେବ। ପୂର୍ବରୁ ଫାଇନାଲ ମେ ୨୫ରେ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବାକୁ ସ୍ଥିର କରାଯାଇଥିଲା, କିନ୍ତୁ ସ୍ଥଗିତ ରହିବା ପରେ ଏହାର କାର୍ଯ୍ୟସୂଚୀ ଏବଂ ସ୍ଥାନ ପରିବର୍ତ୍ତନ କରାଯାଇଥିଲା। ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି।

IPL ର ନୂତନ କାର୍ଯ୍ୟସୂଚୀ ସ୍ଥଗିତ ହେବା ପରେ BCCI ପ୍ଲେଅଫ ସ୍ଥାନ ବିଷୟରେ ସୂଚନା ଦେଇ ନଥିଲା। ତା’ପରେ ଏପରି ରିପୋର୍ଟ ଆସିଥିଲା, ଫାଇନାଲ ସ୍ଥାନ କୋଲକାତାରୁ ଅହମ୍ମଦାବାଦକୁ ପରିବର୍ତ୍ତନ କରାଯାଇପାରେ। କାରଣ ଜୁନ ୩ ପାଖାପାଖି କୋଲକାତାରେ ବର୍ଷା ହେବାର ସମ୍ଭାବନା ରହିଛି।

ମମତା ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମ ନ ନେଇ କହିଛନ୍ତି, ମୁଁ ମୋ ନାମରେ ଷ୍ଟାଡିୟମ ତିଆରି କରେ ନାହିଁ। ମୁଁ ମୋ ନାମରେ ରେଳ ଲାଇନ ତିଆରି କରେ ନାହିଁ। ମୋତେ ପ୍ରଚାରର ଆବଶ୍ୟକତା ନାହିଁ। ଜଣେ ଆଦର୍ଶ ମଣିଷ ଭାବରେ ବଞ୍ଚିବା ଯଥେଷ୍ଟ। ତୁମେ ମୋଦି ଷ୍ଟାଡିୟମ ତିଆରି କରିଛ ଏବଂ ସେଠାରେ ସମସ୍ତ ମ୍ୟାଚ ଆୟୋଜନ କରୁଛ। କାହିଁକି କର୍ନାଟକ, କେରଳ, ବଙ୍ଗଳାରେ କୌଣସି ମ୍ୟାଚ ହେଉନାହିଁ? କେବଳ ଗୁଜୁରାଟରେ କାହିଁକି ସମସ୍ତ ମ୍ୟାଚ ଆୟୋଜନ ହେଉଛି? ମୁଁ ସବୁକିଛି ଜାଣେ। ଯଦି ମୁଁ ମୁହଁ ଖୋଲିବି, ତେବେ ତୁମେ ଅର୍ଜିତ ସମସ୍ତ ସମ୍ମାନ ହରାଇବ।

ଅହମଦାବାଦରେ ନିର୍ମିତ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ୧ ଲକ୍ଷ ୩୨ ହଜାର ଦର୍ଶକଙ୍କ ବସିବା କ୍ଷମତା ଅଛି, ଏହା ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ ଷ୍ଟାଡିୟମ ମଧ୍ୟ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁରେ ଖେଳାଯାଇଥିବା ପ୍ରଥମ କ୍ୱାଲିଫାୟରରେ ବିଜୟୀ ହୋଇ ଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଛି। କେବଳ IPL ଫାଇନାଲ ଏବଂ କ୍ୱାଲିଫାୟର ୨ ସ୍ଥାନ ନୁହେଁ ବରଂ କ୍ୱାଲିଫାୟର ୧ ଏବଂ ଏଲିମିନେଟର ମ୍ୟାଚର ସ୍ଥାନ ମଧ୍ୟ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଏହି ଦୁଇଟି ମ୍ୟାଚ ହାଇଦ୍ରାବାଦରେ ହେବାର ଥିଲା, ଯାହାକୁ ପରେ ମୋହାଲିକୁ ସ୍ଥାନାନ୍ତର କରାଯାଇଥିଲା।

ଯେଉଁ ଦଳ ଏଲିମିନେଟର (GT vs MI) ଜିତିବ, ସେହି ଦଳ ଜୁନ ୧ ତାରିଖରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପଞ୍ଜାବ କିଙ୍ଗସ ବିପକ୍ଷରେ କ୍ୱାଲିଫାୟର ୨ ଖେଳିବେ। ସେହି ମ୍ୟାଚ ଜିତିଥିବା ଦଳ ଜୁନ ୩ରେ ଖେଳାଯିବାକୁ ଥିବା ଫାଇନାଲରେ RCB ସହିତ ମୁକାବିଲା କରିବ।

 

Share