Categories: Home Leftଖେଳ

ଆଇପିଏଲ୍‌ରେ ବିଫଳ ହେଲେ ଧୋନୀଙ୍କ ଲାଗି ବନ୍ଦ ହୋଇଯିବ ପ୍ରତ୍ୟାବର୍ତ୍ତନର ଦ୍ୱାର

ନୂଆଦିଲ୍ଲୀ, ୨୪।୭: ହାଇପ୍ରୋଫାଇଲ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଆରମ୍ଭ ହେବା ନେଇ ସ୍ପଷ୍ଟ ହୋଇଯାଇଛି। ସେପ୍ଟେମ୍ବର ୧୯ରୁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ରେ ଆଇପିଏଲ୍‌ ଆୟୋଜିତ ହେବ। ଆଇପିଏଲ୍‌ର ଚେୟାରମ୍ୟାନ ବ୍ରିଜେଶ ପଟେଲ ଶୁକ୍ରବାର ଏହା ସ୍ପଷ୍ଟ କରିଛନ୍ତି। ଏହି ଆଇପିଏଲ୍‌ ଜରିଆରେ ଭାରତୀୟ ଦଳକୁ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତେବେ ଯଦି ଧୋନୀ ଆଇପିଏଲ୍‌ରେ ବିଫଳ ହୁଅନ୍ତି ତେବେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ ଲାଗି ତାଙ୍କର ଆଶା ଶେଷ ହୋଇଯିବ ବୋଲି ଅଷ୍ଟ୍ରେଲିଆର ପୂର୍ବତନ ମହାନ କ୍ରିକେଟର୍‌ ତଥା ଭାଷ୍ୟକାର ଡିନ୍‌ ଜୋନ୍ସ କହିଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ଜୋନ୍ସ କହିଛନ୍ତି, ‘ବର୍ତ୍ତମାନ ଲାଗୁଛି ଚୟନକର୍ତ୍ତମାନେ ରିଷଭ ପନ୍ତ ଓ ଲୋକେଶ ରାହୁଲଙ୍କ ସହ ରହିଛନ୍ତି। ଯଦି ଧୋନୀ ଆଇପିଏଲ୍‌ରେ ପ୍ରଭାବୀ ପ୍ରଦର୍ଶନ କରନ୍ତି ତେବେ ଦଳକୁ ଫେରିପାରନ୍ତି। କିନ୍ତୁ ଯଦି ଆଇପିଏଲ୍‌ରେ ସେ ଭଲ ପ୍ରଦର୍ଶନ କରି ନ ପାରନ୍ତି ତେବେ ଜାତୀୟ ଦଳକୁ ଫେରିବା ଲାଗି ତାଙ୍କ ପାଇଁ ନିଶ୍ଚିତ ରୂପେ ଦ୍ୱାର ବନ୍ଦ ହୋଇଯିବ। ତେବେ ବର୍ତ୍ତମାନ ଲାଗି ତାଙ୍କ ପାଇଁ ଦ୍ୱାର ଖୋଲା ରହିଛି। ଏହି ଲମ୍ବା ଅବଧିର ବିଶ୍ରାମ ତାଙ୍କ ପାଇଁ ଭଲ ହୋଇପାରେ। ତାଙ୍କୁ ଭଲ ବିରତି ମିଳିଛି ଏବଂ ଯଦି ସେ ଫେରିବାକୁ ଚାହୁଁଛନ୍ତି ତେବେ ଏହି ବିରତି ଭଲ। ବୟସ ବଢ଼ିବା ସହ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ମୁସ୍କିଲ ହୋଇଯାଇଥାଏ’ ବୋଲି’ ଜୋନ୍ସ କହିଛନ୍ତି।

Share