ତିରାନେ,୧୨।୯: ଯଦିଓ ସାରା ବିଶ୍ୱରେ କୃତ୍ରିମ ବୁଦ୍ଧିମତ୍ତା (AI)ର ଆଲୋଚନା କେବଳ ଟେକ କମ୍ପାନୀ ଏବଂ ଗବେଷଣା ଲ୍ୟାବ ପର୍ଯ୍ୟନ୍ତ ସୀମିତ, ତଥାପି ଆଲବାନିଆ ଏହାକୁ ସିଧାସଳଖ ରାଜନୀତିର ସିଂହାସନରେ ବସାଇଛି। ପ୍ରଧାନମନ୍ତ୍ରୀ ଏଡି ରାମା ଘୋଷଣା କରିଛନ୍ତି ଯେ ତାଙ୍କ ନୂଆ କ୍ୟାବିନେଟରେ ଡାଏଲା ନାମକ ଜଣେ ଭର୍ଚୁଆଲ ମନ୍ତ୍ରୀ ମଧ୍ୟ ରହିବେ, ଯାହାର ଅର୍ଥ ଆଲବାନିଆ ଭାଷାରେ ‘ସୂର୍ଯ୍ୟ’। ଡାଏଲା ଜଣେ ପ୍ରକୃତ ବ୍ୟକ୍ତି ନୁହଁନ୍ତି, ବରଂ ସମ୍ପୂର୍ଣ୍ଣ ଭାବରେ AI ଉପରେ ଆଧାରିତ ଜଣେ ଡିଜିଟାଲ ମନ୍ତ୍ରୀ। ଏହାର କାମ ସରକାରୀ ପାଣ୍ଠି ପ୍ରକଳ୍ପଗୁଡ଼ିକ ଉପରେ ନଜର ରଖିବା ଏବଂ ବିଶେଷକରି ସାର୍ବଜନୀନ ଟେଣ୍ଡରରେ ଦୁର୍ନୀତିକୁ ରୋକିବା। ରାମା କହିଥିଲେ, ‘ଏବେଠାରୁ ଆମର ସମସ୍ତ ଟେଣ୍ଡର ୧୦୦ ପ୍ରତିଶତ ଦୁର୍ନୀତିମୁକ୍ତ ହେବ।’
ଡାଏଲାଙ୍କୁ କିଛି ମାସ ପୂର୍ବରୁ ପରିଚୟ କରାଯାଇଥିଲା, ଯେତେବେଳେ ତାଙ୍କୁ ଇ-ଆଲବାନିଆ ନାମକ ଏକ ସରକାରୀ ଡିଜିଟାଲ ପ୍ଲାଟଫର୍ମରେ ଭର୍ଚୁଆଲ ସହାୟକ ଭାବରେ ଲଞ୍ଚ କରାଯାଇଥିଲା। ବିଶେଷ କଥା ହେଉଛି ଏହି AI ଅବତାର ପାରମ୍ପରିକ ଆଲବାନିଆ ଲୋକ ପୋଷାକ ପିନ୍ଧି ବ୍ୟବହାରକାରୀଙ୍କୁ ସରକାରୀ ସେବା ବିଷୟରେ ସୂଚନା ପ୍ରଦାନ କରେ।
ଆଲବାନିଆର ଶାସକ ସମାଜବାଦୀ ପାର୍ଟି ସଦ୍ୟ ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ୧୪୦ ଆସନରୁ ୮୩ ଆସନ ଜିତି ଲଗାତାର ଚତୁର୍ଥ ଥର ପାଇଁ କ୍ଷମତାକୁ ଫେରିଛି। ତଥାପି, ସମ୍ବିଧାନ ପରିବର୍ତ୍ତନ ଭଳି ବଡ଼ ପଦକ୍ଷେପ ନେବା ପାଇଁ ସେମାନଙ୍କୁ ୯୩ ଆସନ ଆବଶ୍ୟକ ହେବ। ଦଳ ପ୍ରତିଶ୍ରୁତି ଦେଇଛି ଯେ ଆଲବାନିଆ ୨୦୨୭ ସୁଦ୍ଧା ୟୁରୋପୀୟ ସଂଘର ସଦସ୍ୟ ହୋଇଯିବ, କିନ୍ତୁ ବିରୋଧୀ ଡେମୋକ୍ରାଟିକ ପାର୍ଟି ଏହି ଦାବିକୁ ‘ଫେକ୍’ ଭଳି ଲାଗୁଛି।
ପୂର୍ବତନ ପ୍ରଧାନମନ୍ତ୍ରୀ ସାଲି ବେରିଶାଙ୍କ ନେତୃତ୍ୱରେ ଡେମୋକ୍ରାଟିକ ପାର୍ଟି ନିର୍ବାଚନ ଫଳାଫଳ ଉପରେ ପ୍ରଶ୍ନ ଉଠାଇଥିଲେ, ତଥାପି ଏହାର ସାଂସଦମାନେ ସଂସଦର ଉଦଘାଟନୀ ଅଧିବେଶନରେ ଉପସ୍ଥିତ ଥିଲେ।
ଆଇନ ବିଶେଷଜ୍ଞଙ୍କ ଅନୁଯାୟୀ, ଏଆଇ ମନ୍ତ୍ରୀ ଡାଏଲାଙ୍କ ସରକାରୀ ସ୍ଥିତି ଏବଂ ତାଙ୍କର ସାମ୍ବିଧାନିକ ସ୍ଥିତି ବିଷୟରେ ଅନେକ ପ୍ରଶ୍ନ ରହିଛି। କିନ୍ତୁ ରାମା ସରକାର ଦାବି କରିଛନ୍ତି ଯେ ଏହି ପରୀକ୍ଷଣ କେବଳ ଦୁର୍ନୀତିକୁ ରୋକିବାରେ ସଫଳ ହେବ ନାହିଁ, ବରଂ ଡିଜିଟାଲ ଶାସନରେ ଆଲବାନିଆକୁ ଏକ ନୂତନ ପରିଚୟ ଦେବ।
୧୯୯୦ ମସିହାରେ କମ୍ୟୁନିଷ୍ଟ ଶାସନର ପତନ ପରଠାରୁ ଆଲବାନିଆ ପାଇଁ ଦୁର୍ନୀତି ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏବେ ଦେଖିବାକୁ ବାକି ଅଛି ଯେ ଭର୍ଚୁଆଲ ମନ୍ତ୍ରୀ ଡାଏଲା ପ୍ରକୃତରେ ‘ସୂର୍ଯ୍ୟ’ ପରି ଆଲୋକ ବିସ୍ତାର କରନ୍ତି କି ଏହା କେବଳ ଏକ ରାଜନୈତିକ ପ୍ରଦର୍ଶନୀ ହୋଇ ରହିବ।