ଦୁର୍ଘଟଣାରେ ମୃତ ୩ ଯୁବକଙ୍କ ମିଳିଲା ପରିଚୟ: ଥାନାରେ ପହଞ୍ଚିଲା ମାମଲା

ଦାରିଙ୍ଗବାଡି, ୪।୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଡୁଲୁରୀଠାରେ ବାଇକ ଦୁର୍ଘଟଣାରେ ୩ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ସମସ୍ତ ମୃତକଙ୍କ ପରିଚୟ ମିଳିଛି ମୃତକ ହେଲେ ବାଲିଗୁଡା ଥାନା ଋତୁଙ୍ଗିଆ ପଞ୍ଚାୟତ କୁଟିଗୁଡା ଗ୍ରାମର ରଙ୍ଗନାଥ ପ୍ରଧାନ, ଟୁନା ପ୍ରଧାନ ଏବଂ ଉକ୍ତ ପଞ୍ଚାୟତ ମହାଗୁଡା ଗ୍ରାମର ବିରାସ ପ୍ରଧାନ ବୋଲି ଡିଏସପି ତଥା ଦାରିଙ୍ଗବାଡି ଥାନା ଅଧିକାରୀ କନକ ମାଝୀ କହିଛନ୍ତି ।
ଦୁର୍ଘଟଣା ଖବର ପାଇ ବିଳମ୍ବିତ ରାତିରେ ବାଲିଗୁଡା ବିଧାୟକ ଚକ୍ରମଣି କଂହର ଦାରିଙ୍ଗବାଡି ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ସହ ଥାନାକୁ ଯାଇ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ବିଧାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଏହି ଦୁର୍ଘଟଣାରେ ତାଙ୍କ ୨ ସମ୍ପର୍କୀୟଙ୍କ ଜୀବନ ଚାଲିଯାଇଛି। ସେ ଦୁଃଖ ପ୍ରକାଶ କରିବା ସହ ସେମାନଙ୍କ ମୃତଦେହ ବ୍ୟବଛେଦ ପର୍ଯ୍ୟନ୍ତ ବିଧାୟକ ଦାରିଙ୍ଗବାଡିରେ ଉପସ୍ଥିତ ରହିଥିଲେ।
ପ୍ରକାଶ ଯେ ଶୁକ୍ରବାର ଅପରାହ୍ନରେ କୁଟିଗୁଡା ଗ୍ରାମର ରଙ୍ଗନାଥ ପ୍ରଧାନ ଏବଂ ଟୁନା ପ୍ରଧାନ ପଲସର ବାଇକରେ ଦଶହରା ମେଢ଼ ଦେଖିବାକୁ ଯାଉଛୁ କହି ଘରୁ ବାହାରିଥିଲେ। ବାଟରେ ତାଙ୍କ ସହ ବିରାସ ପ୍ରଧାନ ମଧ୍ୟ ଦେଖା ହୋଇ ୩ ସାଙ୍ଗ ଦାରିଙ୍ଗବାଡି ଅଭିମୁଖେ ବାହାରିଥିଲେ। ତେବେ ଦାରିଙ୍ଗବାଡିରେ ସେମାନେ ବୁଲାବୁଲି କରି ବ୍ରାହ୍ମଣୀଗାଁ ରାସ୍ତା ଡୁଲୁରୀ ପଟେ ଯାଉଥିଲେ। ତେବେ ଡୁଲୁରୀ ପାଇନ ବଣ ପୂର୍ବରୁ ଏକ ବୁଲାଣି ରାସ୍ତାରେ ବାଇକଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଛିଟିକି ଡୁଲୁରୀ ନାଳ ଭିତରେ ପଡିଥିଲେ। ତେବେ ସେଠାରେ ପାଣି ନ ଥିବା ବେଳେ ପମ୍ପ ହାଉସରୁ ବାହାରିଥିବା ପାଇପରେ ପିଟି ହୋଇଥିଲେ ବୋଲି ପ୍ରତ୍ୟକଦର୍ଶୀ କହିଛନ୍ତି। ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ସେମାନଙ୍କୁ ସେଠାରୁ ଉଦ୍ଧାର କରି ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ବିଳମ୍ବିତ ରାତିରେ ରଙ୍ଗନାଥ ଓ ଟୁନାଙ୍କ ପରିଚୟ ମିଳିଥିବା ବେଳେ ଶନିବାର ପୂର୍ବାହ୍ନ ୯ଟା ବେଳେ ଅନ୍ୟ ମୃତକ ବିରାସଙ୍କ ପରିବାର ଲୋକ ଆସି ତାଙ୍କ ମୃତଦେହକୁ ଚିହ୍ନିଥିଲେ ବୋଲି ସବଇନ୍ସପେକ୍ଟର ଜୟନ୍ତ କୁମାର ସେଠି କହିଛନ୍ତି। ୩ ମୃତକଙ୍କ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିସ କହିଛି।