ଥୁଆମୂଳ ରାମପୁର,୫।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଳକ ସମ୍ମିଳନୀ କକ୍ଷରେ ଗୁରୁବାର ଦିବ୍ୟାଙ୍ଗ ଭାଇ ଭଉଣୀଙ୍କ ପାଇଁ ଏଡିଆଇପି ଏବଂ ଆରଭିୱାଇ ଯୋଜନା ମାଧ୍ୟମରେ ମାଗଣା ସହାୟତା ଉପକରଣ ଯୋଗାଇ ଦେବା ପାଇଁ ଚିହ୍ନଟ କରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିର ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ସୁନାରାମ ସୋରେନଙ୍କ ତ୍ୱତବଧାନରେ ଆୟୋଜନ ହୋଇଥିବା ବେଳେ ଜିଲା କୃତ୍ରିମ ଅଙ୍ଗ ନିର୍ମାଣ ନିଗମର
ଅର୍ଥୋପେଡିକ୍ସ ବିଶେଷଜ୍ଞ ଜିତେନ୍ଦ୍ର ସାହୁ, ସାଂସଦ ବ୍ଲକ ପ୍ରତିନିଧି ପବିତ୍ର ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ। ଏଥିରେ ୯୦ ଜଣ ଦିବ୍ୟାଙ୍ଗ ଭାଇ ଭଉଣୀଙ୍କର ଚିହ୍ନଟ କରଣ କରାଯାଇ ସେମାନଙ୍କର ସମସ୍ତ କାଗଜପତ୍ରକୁ ଉପସ୍ଥିତ ଅଧିକାରୀ ଯାଞ୍ଚ କରିଥିଲେ। ତେବେ ଯୋଗ୍ୟ ହିତାଧିକାରୀଙ୍କୁ ଆଗାମୀ ଦିନରେ ମାଙ୍ଗଣାରେ ଏଡିଆଇପି ଏବଂ ଆରଭିୱାଇ ଯୋଜନାରେ ଦିବ୍ୟାଙ୍ଗଙ୍କ ପାଇଁ ଚକବାଲା ଚଉକି, ତ୍ରିଚକ୍ରୀ ସାଇକେଲ, ଲଙ୍ଗା, ଚାଲିବା ଡ଼ାଣ୍ଡି, ଲୋକବନ୍ଧୁ ୱାକର, ସିପି ଚଉକି, ବିଇଡି ଶୌଚାଳୟ ଆସନ, ବ୍ୟାଟେରୀ ଶ୍ରବଣ ସହାୟକ, ବ୍ରେଲ କିଟ, ସିଲିକନ କୁଶନ ଭଳି ଅନେକ ସହାୟତା ଉପକରଣ ବଣ୍ଟନ କରାଯିବା ବ୍ୟବସ୍ଥା ରହିଥିବା ଜଣାପଡିଛି।