ନୂଆଦିଲ୍ଲୀ,୧୪ା୧୧(ପି.ଟି.): କାଉନସିଲ୍ ଫର୍ ଦ ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକ୍ଜାମିନେଶନ (ସିଆଇଏସ୍ସିଇ) ଦ୍ୱାରା ପରିଚାଳିତ ଆଇସିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷା ଆସନ୍ତା ଫେବୃଆରୀ ୧୭ରୁ ଏବଂ ଆଇଏସ୍ସି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୨ରୁ ଆରମ୍ଭ ହେବ। ପ୍ରାୟ ୨.୬ ଲକ୍ଷ ଛାତ୍ରୀଛାତ୍ର ଆଇସିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ଥିବାବେଳେ ପ୍ରାୟ ୧.୫ ଲକ୍ଷ ଛାତ୍ରୀଛାତ୍ର ଆଇଏସ୍ସି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେବେ। ଶିକ୍ଷାବର୍ଷର ସୁପରିଚାଳନାକୁ ଦୃଷ୍ଟିରେ ରଖି ଆଗାମୀ ଉଭୟ ବୋର୍ଡ ପରୀକ୍ଷାର ସୂଚୀ ପ୍ରସ୍ତୁତ କରାଯାଇଛି। ଏହାଦ୍ୱାରା ଛାତ୍ରୀଛାତ୍ରମାନେ ପ୍ରମୁଖ ବିଷୟଗୁଡ଼ିକ ଉପରେ ପ୍ରସ୍ତୁତ ହେବାକୁ ଉପଯୁକ୍ତ ସମୟ ପାଇପାରିବେ ବୋଲି ସିଆଇଏସ୍ସିଇ ସମ୍ପାଦକ ତଥା ମୁଖ୍ୟ କାର୍ଯନିର୍ବାହୀ ଯୋଶେଫ ଇମାନୁଏଲ କହିଛନ୍ତି। ଦଶମ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୭ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୦ରେ ଶେଷ ହେବ। ସେହିପରି ଫେବୃଆରୀ ୧୨ରୁ ଏପ୍ରିଲ ୬ ମଧ୍ୟରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ ହେବ। ବୋର୍ଡ ପକ୍ଷରୁ ଆଇସିଏସ୍ଇର ୭୫ଟି ବିଷୟ ଏବଂ ଆଇଏସ୍ସିର ୫୦ ବିଷୟ ପରୀକ୍ଷା ଡାଟା ସିଟ୍ ପ୍ରକାଶ ପାଇଥିବା ଇମାନୁଏଲ କହିଛନ୍ତି।