ନୂଆଦିଲ୍ଲୀ,୯।୮: ଆଇସିଆଇସିଆଇ ବ୍ୟାଙ୍କ ୧ ଅଗଷ୍ଟ ୨୦୨୫ କିମ୍ବା ତା’ପରେ ଖୋଲାଯାଇଥିବା ନୂଆ ସେଭିଙ୍ଗ୍ସ ବ୍ୟାଙ୍କ ଆକାଉଣ୍ଟ ପାଇଁ ନ୍ୟୁନତମ ମାସିକ ହାରାହାରି ବାଲାନ୍ସ (ଏମ୍ଏବି) ପାଞ୍ଚ ଗୁଣା ବୃଦ୍ଧି କରି ୫୦,୦୦୦ ଟଙ୍କା କରିଛି। ଏହାପୂର୍ବରୁ, ୩୧ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ସେଭିଙ୍ଗ୍ସ ଆକାଉଣ୍ଟ ପାଇଁ ଏମଏବି ୧୦,୦୦୦ ଟଙ୍କା ଥିଲା।
ବ୍ୟାଙ୍କର ୱେବସାଇଟରେ ଉପଲବ୍ଧ ତଥ୍ୟ ଅନୁସାରେ, ଅର୍ଦ୍ଧ-ସହରୀ ଅଞ୍ଚଳରେ ଏହି ସୀମା ୨୫,୦୦୦ ଟଙ୍କା ଏବଂ ଗ୍ରାମୀଣ ଅଞ୍ଚଳରେ ୧୦,୦୦୦ ଟଙ୍କା ରହିଛି। ଯଦି ଖାତାଧାରୀ ର୍ନିଦ୍ଦିଷ୍ଟ ଏମଏବି ବଜାୟ ରଖିପାରନ୍ତି ନାହିଁ, ତେବେ ସେମାନଙ୍କୁ ଅଭାବୀ ରାଶିର ୬ ପ୍ରତିଶତ କିମ୍ବା ୫୦୦ ଟଙ୍କା (ଯେଉଁଟି କମ ହେବ) ଜରିମାନା ଭାବେ ଦେବାକୁ ପଡ଼ିବ।
ସେଭିଙ୍ଗ୍ସ ଆକାଉଣ୍ଟରେ ଜମା ରାଶି ଉପରେ ବାର୍ଷିକ ୨.୫ ପ୍ରତିଶତ ସୁଧ ମିଳିବ। ଏହି ନୂଆ ନିୟମ କେବଳ ୧ ଅଗଷ୍ଟ ୨୦୨୫ ପରେ ଖୋଲାଯାଇଥିବା ଆକାଉଣ୍ଟ ଉପରେ ଲାଗୁ ହେବ। ପୁରୁଣା ଖାତାଧାରୀଙ୍କ ପାଇଁ ପୂର୍ବ ରାଶି ସୀମା ହିଁ ଲାଗୁ ରହିବ। ସାଲାରୀ ଆକାଉଣ୍ଟ, ପ୍ରଧାନମନ୍ତ୍ରୀ ଜନଧନ ଆକାଉଣ୍ଟ ଏବଂ ବେସିକ ସେଭିଙ୍ଗ୍ସ ବ୍ୟାଙ୍କ ଡିପୋଜିଟ ଆକାଉଣ୍ଟ ଧାରୀଙ୍କୁ ଏହି ନିୟମରୁ ଛାଡ଼ ମିଳିବ, କାରଣ ଏହି ଆକାଉଣ୍ଟଗୁଡ଼ିକ ଜିରୋ ବାଲାନ୍ସ ଆକାଉଣ୍ଟ ଅଟେ।
ଯେଉଁ ଗ୍ରାହକଙ୍କ ଆକାଉଣ୍ଟରେ ର୍ନିଦ୍ଦିଷ୍ଟ ସୀମାଠାରୁ ଅଧିକ ରାଶି ରହିବ, ସେମାନେ କିଛି ବିଶେଷ ସୁବିଧା ପାଇବେ। ଏହା ମଧ୍ୟରେ ମାଗଣା ଏନ୍ଇଏଫଟି ଟଙ୍କା ହସ୍ତାନ୍ତର ଏବଂ ମାସକୁ ତିନିଥର ମାଗଣା ନଗଦ ଲେଣଦେଣ ସାମିଲ ରହିଛି। ଏହାପରେ ପ୍ରତ୍ୟେକ ନଗଦ ଲେଣଦେଣ ପାଇଁ ୧୫୦ ଟଙ୍କା ଶୁଳ୍କ ଲାଗିବ। ଏହି ସମସ୍ତ ଶୁଳ୍କ ଉପରେ ଜିଏସଟି ମଧ୍ୟ ଦେବାକୁ ପଡ଼ିବ। ତେବେ ଆଇସିଆଇସିଆଇ ବ୍ୟାଙ୍କର ଏହି ନୂଆ ନିୟମ ଗ୍ରାହକଙ୍କ ମଧ୍ୟରେ ଆଲୋଚନାର ବିଷୟ ହୋଇଛି, ବିଶେଷ କରି ନୂଆ ଆକାଉଣ୍ଟ ଖୋଲୁଥିବା ଗ୍ରାହକଙ୍କ ପାଇଁ।