Categories: Home Leftଖେଳ

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ର଼୍ୟାଙ୍କିଙ୍ଗ୍‌: ଭାରତ ଦ୍ୱିତୀୟ ସ୍ଥାନ ବଜାୟ ରଖିଲା

ଦୁବାଇ,୩୧।୧୨(ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ର଼୍ୟାଙ୍କିଙ୍ଗ୍‌ରେ ଭାରତ ତା’ର ଦ୍ୱିତୀୟ ସ୍ଥାନ ବଜାୟ ରଖିଛି। ମେଲବୋର୍ନରେ ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ବିଜୟୀ ହୋଇ ଭାରତ ଅପରିବର୍ତ୍ତିତ ରହିଛି। ଏଥିସହ ଆସନ୍ତାବର୍ଷ ଆୟୋଜନ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଖେଳିବା ଦୌଡ଼ରେ ଭାରତ ତା’ର ସ୍ଥିତି ବଜାୟ ରଖିଛି।
ମେଲବୋର୍ନ ଟେଷ୍ଟରେ ୮ ଉଇକେଟରେ ବିଜୟୀ ହୋଇ ଭାରତ ୩୦ ପଏଣ୍ଟ ହାସଲ କରିଛି। ୭୨.୨ ପଏଣ୍ଟ ପ୍ରତିଶତ ବା ପର୍ସେଣ୍ଟେଜ ଅଫ୍‌ ପଏଣ୍ଟ (ପିସିଟି) ସହ ଭାରତ ମୋଟ ୩୯୦ ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପଟେ ବକ୍ସିଂ ଡେ’ରେ ପରାସ୍ତ ହୋଇଥିଲେ ମଧ୍ୟ ଅଷ୍ଟ୍ରେଲିଆ ପୂର୍ବପରି ଶୀର୍ଷ ସ୍ଥାନରେ ରହିଛି। ଏହି ମ୍ୟାଚ୍‌ରେ ସ୍ଲୋ ଓଭର ରେଟ ପାଇଁ ଅଷ୍ଟ୍ରେଲିଆ ଦଣ୍ଡିତ ହୋଇଥିଲା। ଅଷ୍ଟ୍ରେଲିଆ ୭୬.୬ ପିସିଟି ସହ ୩୨୨ ପଏଣ୍ଟ ପାଇଛି। ସେହିପରି ବୁଧବାର ପାକିସ୍ତାନକୁ ପ୍ରଥମ ଟେଷ୍ଟରେ ହରାଇ ୬୦ ପଏଣ୍ଟ ହାସଲ କରିଥିଲେ ମଧ୍ୟ ନ୍ୟୁଜିଲାଣ୍ଡ ତୃତୀୟ ସ୍ଥାନରେ ରହିଛି। ନ୍ୟୁଜିଲାଣ୍ଡ ମୋଟ ଉପରେ ୩୬୦ ପଏଣ୍ଟ ପାଇଛି ଓ ତା’ର ୬୬.୭ ପିସିଟି ରହିଛି। ଏଥି ସହିତ ନ୍ୟୁଜିଲାଣ୍ଡ ଫାଇନାଲ ଦୌଡ଼ରେ ମଧ୍ୟ ତା’ର ସ୍ଥିତି ବଜାୟ ରଖିଛି। ସେହିପରି ର଼୍ୟାଙ୍କିଙ୍ଗ୍‌ରେ ଇଂଲଣ୍ଡ ଚତୁର୍ଥ ଓ ପାକିସ୍ତାନ ପଞ୍ଚମ ସ୍ଥାନରେ ରହିଛି।
ଚାମ୍ପିୟନଶିପ୍‌ ଶେଷ ହେବା ପରେ ପଏଣ୍ଟ ପ୍ରତିଶତ ପିସିଟି ଦୃଷ୍ଟିକୋଣରୁ ଶୀର୍ଷରେ ଥିବା ଦୁଇ ଦଳ ଫାଇନାଲ ଖେଳିବେ। ଲିଗ୍‌ର ପ୍ରତ୍ୟେକ ସିରିଜରେ ୧୨୦ ପଏଣ୍ଟ ଉପଲବ୍ଧ ହୋଇପାରିବ। ସିରିଜ୍‌ରେ ସାମିଲ ଥିବା ମ୍ୟାଚ୍‌ ସଂଖ୍ୟାକୁ ଦୃଷ୍ଟିରେ ରଖି ପଏଣ୍ଟ ଭାଗ ହେବ। ତେଣୁ ୨ ମ୍ୟାଚବିଶିଷ୍ଟ ସିରିଜରେ ଗୋଟିଏ ବିଜୟ ହାସଲ କଲେ ୬୦ ପଏଣ୍ଟ ମିଳିବ। ସେହିପରି ୫ ମ୍ୟାଚବିଶିଷ୍ଟ ସିରିଜରେ ମ୍ୟାଚ ପିଛା ୨୪ ପଏଣ୍ଟ ଉପଲବ୍ଧ ହେବ।
ଭାରତ ସର୍ବାଧିକ ପଏଣ୍ଟ ହାସଲ କରିଥିଲେ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ବଭାବିକ। କୋଭିଡ୍‌-୧୯ ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ବାଧାପ୍ରାପ୍ତ ହେବା ଫଳରେ ଆଇସିସି ପଏଣ୍ଟ ସିଷ୍ଟମ୍‌ରେ ପରିବର୍ତ୍ତନ କରିଛି। ତେଣୁ ପଏଣ୍ଟର ପରିମାଣ ବଦଳରେ ପର୍ସେଣ୍ଟେଜ ପଏଣ୍ଟକୁ ଦୃଷ୍ଟିରେ ରଖାଯାଇ ର଼୍ୟାଙ୍କିଙ୍ଗ୍‌ ସ୍ଥିର କରାଯାଉଛି।