Categories: ଖେଳ

ଭାରତର ରବି ବିଷ୍ଣୋଇ ଏକ ନମ୍ବର ଟି୨୦ ବୋଲର, ସୂର୍ଯ୍ୟଙ୍କ ଚମକ କାଏମ

ନୂଆଦିଲ୍ଲୀ,୬।୧୧: ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରେ ଭାରତ ଜବରଦସ୍ତ ପ୍ରଦର୍ଶନ କରି ସିରିଜ ହାତେଇଛି। ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ଭାରତ ୪-୧ରେ ଏହି ସିରିଜ ଜିତିଛି। ତେବେ ଏହି ସିରିଜରେ ଚମତ୍କାର ପ୍ରଦର୍ଶନ କରି ସ୍ପିନର ରବି ବିଷ୍ଣୋଇ ଅନ୍ତର୍ଜାତୀୟ ଟି୨୦ ବୋଲର ମାନ୍ୟତାରେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି। ଭାରତ ଏବଂ ଅଷ୍ଟ୍ରେଲିଆ ସିରିଜ ପରେ ଆଇସିସି ଟି୨୦  ତାଲିକା ଜାରି କରିଛି, ଯେଉଁଥିରେ ଅନେକ ଭାରତୀୟ ଖେଳାଳିଙ୍କ ମାନ୍ୟତାରେ ସୁଧାର ଆସିଛି।

ଭାରତର ଏହି ଡାହାଣ ହାତୀ ଦକ୍ଷ ବୋଲର ରସିଦ ଖାନଙ୍କ ପରି ବୋଲରଙ୍କୁ ପଛରେ ପକାଇ ଦେଇଛନ୍ତି। ବିଷ୍ଣୋଇ ଶୀର୍ଷରେ ଥିବା ବେଳେ ଦ୍ୱିତୀୟରେ ରସିଦ ଖାନ, ତୃତୀୟରେ ଆଦିଲ ରସିଦ/ୱାନିନ୍ଦୁ ହସରଙ୍ଗା(ଉଭୟେ ତୃତୀୟ) ଏବଂ ମହେଶ ତୀଖସେନା ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି। ଅନ୍ୟ ଭାରତୀୟ ବୋଲରଙ୍କ ମଧ୍ୟରେ ଅକ୍ଷର ପଟେଲ ୧୧ ପାହାଚ ଅତିକ୍ରମ କରି ୧୬ ନମ୍ବରରେ ପହଞ୍ଚିଛନ୍ତି।

ସେହିପରି ବ୍ୟାଟିଂରେ ସୂର୍ଯ୍ୟକୁମାର ଯାଦବ ଟି୨୦ ଏକ ନମ୍ବରରେ ରହିଛନ୍ତି। ଏହା ସହିତ ଋତୁରାଜ ଗାଏକ୍ୱାଡ଼ ମଧ୍ୟ ଟି୨୦ ବ୍ୟାଟିଂ ମାନ୍ୟତାରେ ଟପ ୧୦ରେ ସାମିଲ ଅଛନ୍ତି। ତେବେ ଋତୁରାଜ ସପ୍ତମ ସ୍ଥାନରୁ ଖସି ନବମ ସ୍ଥାନକୁ ଚାଲି ଆସିଛନ୍ତି। ଯେତେବେଳେ କି ଯୁବ ବ୍ୟାଟର ଯଶସ୍ବୀ ଜୈସ୍ବାଲ ୧୬ ପାହାଚ ଉଠି ୧୯ ତମ ସ୍ଥାନରେ ପହଞ୍ଚିଛନ୍ତି। ଅଲରାଉଣ୍ଡର ମାନ୍ୟତାରେ ହାର୍ଦିକ ପାଣ୍ଡ୍ୟା ତୃତୀୟ ସ୍ଥାନରେ ରହିଛନ୍ତି।

 

Share
Tags: Ravi Bishnoi