Categories: Home Leftଖେଳ

ଏସିଆ କପ୍‌ରେ ଜିତିବା ପରେ ଭାରତକୁ ଝଟକା, ଦିନିକିଆ ର଼୍ୟାଙ୍କିଙ୍ଗରେ ପାକିସ୍ତାନ ପ୍ରଥମ

ନୂଆଦିଲ୍ଲୀ,୧୮।୯: ରୋହିତ ଶର୍ମାଙ୍କ ଅଧିନାୟିକତ୍ୱ ଭାରତୀୟ କ୍ରିକେଟ ଦଳ ଏସିଆ କପ୍‌ ୨୦୨୩ ଟାଇଟଲ ଜିତିବାରେ ସଫଳ ହୋଇଛି। ଟାଇଟଲ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୧୦ ଉଇକେଟ୍‌ରେ ପରାସ୍ତ କରିଛି, କିନ୍ତୁ ଏହି ବିଜୟ ପରେ ମଧ୍ୟ ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ ଭାରତକୁ ବଡ ଝଟକା ଲାଗିଛି। ପାକିସ୍ତାନ କ୍ରିକେଟ ଦଳ ପୁଣି ଥରେ ଦିନିକିଆରେ ନମ୍ବର ଓ୍ବାନ ଦଳ ହୋଇଛି।

ଏସିଆ କପ୍‌ର ସୁପର ଫୋର୍‌ରେ ତଳେ ଥିବା ପାକିସ୍ତାନ ଆଇସିସି ର଼୍ୟାଙ୍କିଙ୍ଗରେ ବଡ ରେକର୍ଡ ହାସଲ କରିଛି। ଦକ୍ଷିଣ ଆଫ୍ରିକାର ବିଜୟରୁ ପାକିସ୍ତାନ ବହୁତ ଲାଭ କରିଛି। ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଦିନିକିଆ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚରେ ଆଫ୍ରିକା ୧୨୨ ରନ୍‌ରେ ଚମତ୍କାର ବିଜୟ ପଞ୍ଜିକରଣ କରି ଦିନିକିଆ ର଼୍ୟାଙ୍କିଙ୍ଗରେ ପ୍ରଥମ ସ୍ଥାନରେ ଥିବା ଅଷ୍ଟ୍ରେଲିଆକୁ ତୃତୀୟ ସ୍ଥାନକୁ ଠେଲି ଦେଇଛି ଏବଂ ପାକିସ୍ତାନ ପୁଣିଥରେ ଦିନିକିଆରେ ନମ୍ବର ଓ୍ବାନ ଦଳ ହେବାରେ ସଫଳ ହୋଇଛି।

ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ ଟିମ ଇଣ୍ଡିଆ ଦ୍ୱିତୀୟ ସ୍ଥାନରେ ରହିଛି। ଭାରତର ୧୧୪.୬୫୯ ରେଟିଂ ରହିଥିବା ବେଳେ ଏକ ନମ୍ବର ସ୍ଥାନରେ ଥିବା ପାକିସ୍ତାନ ଦଳର ୧୧୪.୮୮୯ ରେଟିଂ ରହିଛି। ଏସିଆ କପ୍‌ ପରେ ଟିମ ଇଣ୍ଡିଆ ୨୨ ସେପ୍ଟେମ୍ବରରୁ ଅଷ୍ଟ୍ରେଲିଆ ବିପକ୍ଷରେ ତିନୋଟି ଦିନିକିଆ ମ୍ୟାଚ ଖେଳିବ। ଏହି ସିରିଜ ମାଧ୍ୟମରେ ଭାରତୀୟ ଦଳ ଏକ ନମ୍ବର ସ୍ଥାନ ହାସଲ କରିପାରେ।