India's Rishabh Pant (R) hits a six as Australia's wicketkeeper Alex Carey watches during Day 2 of the tour match between Australia A and India at the SCG, Sydney, Australia, 12 December 2020. Australia vs India, Sydney - 12 Dec 2020. DAVID GRAY/EPA-EFE/Shutterstock. . 11539374b
ଦୁବାଇ,୩।୨(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ‘ପ୍ଲେୟର ଅଫ୍ ଦି ମନ୍ଥ’ ପୁରସ୍କାର ଦୌଡ଼ରେ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ସମେତ ଆଉ ଦୁଇ ଖେଳାଳି ସାମିଲ ହୋଇଛନ୍ତି। ନୂଆକରି ପ୍ରଦାନ କରାଯିବାକୁ ଥିବା ଏହି ପୁରସ୍କାର ପାଇଁ ଆଇସିସି ପନ୍ତଙ୍କ ବ୍ୟତୀତ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଓ ଆୟର୍ଲାଣ୍ଡର ପଲ୍ ଷ୍ଟର୍ଲିଂଙ୍କ ନାମ ସୁପାରିସ କରିଛି। ଗୋଟିଏ ମାସର ପ୍ରଦର୍ଶନକୁ ଭିତ୍ତିକରି ଉଭୟ ପୁରୁଷ ଓ ମହିଳା କ୍ରିକେଟରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ।
ଗତ ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ ସିରିଜରେ ଭାରତର ଐତିହାସିକ ସିରିଜ ବିଜୟରେ ପନ୍ତଙ୍କ ଭୂମିକା ଉଲ୍ଲେଖନୀୟ ଥିଲା। ସିଡ୍ନୀରେ ଅନୁଷ୍ଠିତ ତୃତୀୟ ଟେଷ୍ଟ ମ୍ୟାଚ୍ରେ ପନ୍ତ ୯୭ ରନର ଉପଯୋଗୀ ପାଳି ଖେଳିଥିଲେ ଓ ଏହା ଡ୍ର ରହିଥିଲା। ସେହିପରି ବ୍ରିସ୍ବେନ୍ର ଗାବାରେ ଖେଳାଯାଇଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ପନ୍ତ ଅପରାଜିତ ୮୯ ରନର ଲଢୁଆ ଇନିଂସ ଖେଳି ଭାରତକୁ ଜିତାଇ ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।
ସେହିପରି ଜାନୁୟାରୀରେ ରୁଟ୍ ଶ୍ରୀଲଙ୍କ ବିପକ୍ଷରେ ପ୍ରଥମ ଓ ଦ୍ୱିତୀୟ ଟେଷ୍ଟରେ ଯଥାକ୍ରମେ ୨୨୮ ଓ ୧୮୬ ରନ ସଂଗ୍ରହ କରିଥିଲେ। ଏହି ସିରିଜରେ ଇଂଲଣ୍ଡ ୨-୦ରେ କ୍ଲିନ୍ ସୁଇପ୍ କରିଥିଲା। ସେହିପରି ଷ୍ଟର୍ଲିଂ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ) ବିପକ୍ଷରେ ଦୁଇଟି ଓ ଆଫଗାନିସ୍ତାନ ବିପକ୍ଷରେ ୩ଟି ଦିନିକିଆ ମ୍ୟାଚ୍ ଖେଳି ୩ଟି ଶତକ ହାସଲ କରିଥିଲେ।
ଅନ୍ୟପଟେ ମହିଳା ପୁରସ୍କାର ପାଇଁ ପାକିସ୍ତାନର ଡାଏନା ବେଗ୍ ଓ ଦକ୍ଷିଣ ଆଫ୍ରିକାର ଦୁଇ ଖେଳାଳି ଶବନିମ୍ ଇସ୍ମାଇଲ ଓ ମାରିଜନେ କାପ୍ପଙ୍କ ନାମ ଆଇସିସି ନୋମିନେଟ୍ କରିଛି। ବେଗ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ଟି ଦିନିକିଆ ଓ ୨ଟି ଟି୨୦ ମ୍ୟାଚ୍ ଖେଳିଛନ୍ତି। ଦିନିକିଆ ସିରିଜରେ ସେ ମୋଟ ଉପରେ ସର୍ବାଧିକ ୯ ଉଇକେଟ ଅକ୍ତିଆର କରିଛନ୍ତି। ସେହିପରି ଇସ୍ମାଇଲ ପାକିସ୍ତାନ ବିପକ୍ଷରେ ୩ଟି ଦିନିକିଆ ଓ ୨ଟି ଟି୨୦ ମ୍ୟାଚ୍ ଖେଳିଛନ୍ତି। ଦିନିକିଆ ସିରିଜରେ ସେ ୭ ଉଇକେଟ ନେଇ ଦକ୍ଷିଣ ଆଫ୍ରିକାକୁ ଜିତାଇଥିଲେ। ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟି୨୦ରେ ସେ ୫ ଉଇକେଟ ଅକ୍ତିଆର କରିଥିଲେ। ସେହିପରି ମାରିଜନେ ପାକିସ୍ତାନ ବିପକ୍ଷରେ ୨ଟି ଦିନିକିଆ ଓ ୨ଟି ଟି୨୦ ଖେଳିଥିଲେ। ଦିନିକିଆ ସିରିଜରେ ୧୧୦.୫୭ ଷ୍ଟ୍ରାଇକ୍ରେଟ୍ରେ ସେ ୧୧୫ ରନ ସଂଗ୍ରହ କରିବା ସହ ୩ଟି ଉଇକେଟ ଅକ୍ତିଆର କରିଥିଲେ।
ମତଦାନ ମାଧ୍ୟମରେ ପୁରସ୍କାରର ଅନ୍ତିମ ବିଜେତାଙ୍କ ନାମ ଘୋଷଣା କରାଯିବ। ଏଥିପାଇଁ ଆଇସିସି ଭୋଟିଂ ଏକାଡେମୀ ଦାୟିତ୍ୱରେ ରହିବ। ଏହି ଏକାଡେମୀରେ କ୍ରିକେଟ ଜଗତର ସିନିୟର ଜର୍ନାଲିଷ୍ଟ, ପୂର୍ବତନ ଖେଳାଳି ଓ ବ୍ରୋଡ୍କାଷ୍ଟର ଏବଂ ଆଇସିସି ହଲ୍ ଅଫ୍ ଫେମ୍ର କିଛି ସଦସ୍ୟ ସାମିଲ ରହିବେ। ଇମେଲ ମାଧ୍ୟମରେ ଭୋଟିଂ ଏକାଡେମୀ ତାଙ୍କର ଭୋଟ ଦେବେ। ଏହି ଏକାଡେମୀ ମତଦାନର ୯୦ ପ୍ରତିଶତ ଭୋଟ ଶେୟାର ନିଜ ପାଖରେ ବଜାୟ ରଖିବ। ଆଉ ୧୦ ପ୍ରତିଶତ ଭୋଟିଂ ଶେୟାର ପ୍ରଶଂସକଙ୍କ ପାଖରେ ରହିବ। ଆଇସିସି ଓ୍ବେବସାଇଟ୍ରେ ପ୍ରଶଂସକମାନେ ମତଦାନ କରିପାରିବେ। ପ୍ରତ୍ୟେକ ମାସର ଦ୍ୱିତୀୟ ସୋମବାର ଆଇସିସି ଡିଜିଟାଲ ଚ୍ୟାନେଲ ମାଧ୍ୟମରେ ବିଜେତାଙ୍କ ନାମ ଘୋଷଣା କରାଯିବ।