ଦୁବାଇ,୧୩ା୫: ଭାରତର ଷ୍ଟାଇଲିସ ଓପନର ସ୍ମୃତି ମନ୍ଧାନା ଆଇସିସି ମହିଳା ଅନ୍ତର୍ଜାତୀୟ ଦିନିକିଆ ବ୍ୟାଟିଂ ର଼୍ୟାଙ୍କିଙ୍ଗରେ ବିଶ୍ୱର ନମ୍ବର-୧ ସ୍ଥାନ ନିକଟତର ହୋଇଛନ୍ତି। ନିକଟରେ ଶ୍ରୀଲଙ୍କାରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଭାରତର ସଫଳତାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ସେ ଗୋଟିଏ ସ୍ଥାନ ପଦୋନ୍ନତି ପାଇ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି।
ମନ୍ଧାନା ଏହା ପୂର୍ବରୁ ଗତଥର ୨୦୧୯ରେ ଅନ୍ତର୍ଜାତୀୟ ଦିନିକିଆ ବ୍ୟାଟର ତାଲିକାରେ ଶୀର୍ଷ ସ୍ଥାନ ଅଧିକାର କରିଥିଲେ। ନିକଟରେ ସେ ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିବା ମୋଟ ୫ଟି ଇନିଂସରେ ୨୬୪ରନ ସଂଗ୍ରହ କରି ଟୁର୍ନାମେଣ୍ଟର ଦ୍ୱିତୀୟ ଅଗ୍ରଣୀ ରନ ସ୍କୋରର ବିବେଚିତ ହୋଇଥିଲେ। ଶ୍ରୀଲଙ୍କା ବିପକ୍ଷ ଫାଇନାଲରେ ୧୦୧ ବଲ୍ରୁ ୧୧୬ ରନ କରିଥିବା ମନ୍ଧାନା ବର୍ତ୍ତମାନ ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ଦକ୍ଷିଣ ଆଫ୍ରିକା ଅଧିନାୟିକା ଲାଉରା ଓଭାର୍ଡଟଙ୍କଠାରୁ ୧୧ ରେଟିଂ ପଏଣ୍ଟ ପଛରେ ରହିଛନ୍ତି, ଯିଏକି ତ୍ରିରାଷ୍ଟ୍ରୀୟ ସିରିଜରେ ମାତ୍ର ୮୬ରନ କରିଥିଲେ। ଟୁର୍ନାମେଣ୍ଟରେ ୧୩୯ ରନ କରିଥିବା ଶ୍ରୀଲଙ୍କା ଅଧିନାୟକ ଚାମରୀ ଆଥାପାଥଥୁଙ୍କର ଟପ୍ ୧୦ରେ ପଦୋନ୍ନତି ଘଟିଛି। ସେ ୨ ସ୍ଥାନ ପଦୋନ୍ନତି ପାଇ ୭ମକୁ ଉନ୍ନୀତ ହୋଇଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ଜେମିମା ରୋଡ୍ରିଗୁଏଜ୍ (୫ ପଦୋନ୍ନତି ସହ ୧୫ତମ ସ୍ଥାନ) ଓ ଦକ୍ଷିଣ ଆଫ୍ରିକାର ଚ୍ଲୋ ଟ୍ରାୟନ (୧୮ତମ ସ୍ଥାନରୁ ୯ମ)ଙ୍କ ମଧ୍ୟ ପଦୋନ୍ନତି ଘଟିଛି। ବୋଲର ତାଲିକାରେ ପଦୋନ୍ନତି ପାଇଥିବା ଖେଳାଳିମାନଙ୍କ ମଧ୍ୟରେ ପ୍ଲେୟର ଅଫ୍ ଦି ମ୍ୟାଚ ଭାରତୀୟ ସ୍ପିନର ସ୍ନେହ ରାଣା ରହିଛନ୍ତି। ସେ ୪ ସ୍ଥାନ ଉପରକୁ ଉଠି ୩୪ତମ ସ୍ଥାନରେ ଅଛନ୍ତି। ଇଂଲଣ୍ଡର ସୋଫି ଏକ୍ଲେଷ୍ଟୋନ ନମ୍ବର ୧ ସ୍ଥାନରେ ରହିଛନ୍ତି। ଟପ୍ ୧୦ରେ ଭାରତର ଜଣେ ମାତ୍ର ଖେଳାଳି ଦୀପ୍ତି ଶର୍ମା ୪ର୍ଥ ସ୍ଥାନରେ ଅଛନ୍ତି।