Categories: Home Middleଖେଳ

ଟି-୨୦ ବିଶ୍ୱକପ: ଭାରତ ବିପକ୍ଷ ମ୍ୟାଚ୍ ପାଇଁ ପାକିସ୍ତାନର ‘ୟୁ-ଟର୍ଣ୍ଣ’, ଆଇସିସି ଦେଲା ବଡ଼ ପ୍ରତିଶ୍ରୁତି

ନୂଆଦିଲ୍ଲୀ,୧୦।୨: ଚାଲିଥିବା ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚ୍‌କୁ ବର୍ଜନ କରିବାକୁ ଘୋଷଣା କରିଥିବା ପାକିସ୍ତାନ ଶେଷରେ ନିଜ ନିଷ୍ପତ୍ତି ବଦଳାଇଛି। ICC ପାକିସ୍ତାନ କ୍ରିକେଟ ବୋର୍ଡ (PCB)କୁ କିଛି ଗୁପ୍ତ ସୁବିଧା ବା ‘କନସେସନ’ ଦେବାକୁ ପ୍ରତିଶ୍ରୁତି ଦେବା ପରେ ଏହି ଜଟଳତା ଦୂର ହୋଇଛି।

ଆଇସିସି ସୂତ୍ର ଅନୁଯାୟୀ, ବର୍ଜନ ନିଷ୍ପତ୍ତି ପ୍ରତ୍ୟାହାର କରିବା ପାଇଁ ପିସିବିକୁ କିଛି ରିହାତି ଦିଆଯାଇଛି। ଯାହା ବିଶ୍ୱକପ ଶେଷ ହେବା ପରେ ସର୍ବସାଧାରଣରେ ପ୍ରକାଶ କରାଯିବ।

ଏହା ସହ ଆଇସିସି ଘୋଷଣା କରିଛି ଯେ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଉପରେ କୌଣସି ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ଏପରିକି ୨୦୨୮-୨୦୩୧ ମଧ୍ୟରେ ବାଂଲାଦେଶକୁ ଏକ ଆଇସିସି ଇଭେଣ୍ଟ ୧୯ ବର୍ଷରୁ କମ୍ ବିଶ୍ୱକପ ଆୟୋଜନ କରିବାର ସୁଯୋଗ ଦିଆଯିବ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଏହି ବିବାଦ ସମାଧାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ପିସିବି ଅଧ୍ୟକ୍ଷ ମୋହସିନ ନାକଭି ଭାରତ ଓ ପାକିସ୍ତାନ ମଧ୍ୟରେ ନିରପେକ୍ଷ ସ୍ଥାନରେ ଟେଷ୍ଟ ମ୍ୟାଚ୍ ଖେଳିବା ପାଇଁ ପ୍ରସ୍ତାବ ରଖିଥିବା ଜଣାପଡ଼ିଛି।

ସୁରକ୍ଷା କାରଣ ଦର୍ଶାଇ ବାଂଲାଦେଶ ଭାରତରେ ଖେଳିବାକୁ ମନା କରିବା ପରେ ସେମାନଙ୍କ ବଦଳରେ ସ୍କଟଲ୍ୟାଣ୍ଡକୁ ସାମିଲ କରାଯାଇଥିଲା। ଏହାର ପ୍ରତିବାଦରେ ଏବଂ ବାଂଲାଦେଶକୁ ସମର୍ଥନ ଜଣାଇ ପାକିସ୍ତାନ ଫେବୃଆରୀ ୧୫ରେ କଲମ୍ବୋରେ ଭାରତ ବିପକ୍ଷରେ ଖେଳିବାକୁ ମନା କରିଥିଲା। ତେବେ ବ୍ୟାପକ ଆଲୋଚନା ପରେ ଏହି ସମସ୍ୟାର ସମାଧାନ ହୋଇଛି ଏବଂ ଏବେ ପାକିସ୍ତାନ ଦଳ ଭାରତ ବିରୋଧରେ ପଡ଼ିଆକୁ ଓହ୍ଲାଇବ।

Share