ନୂଆଦିଲ୍ଲୀ,୧୨ା୪: ଦିନିକିଆ କ୍ରିକେଟ ବ୍ୟାଟରଙ୍କୁ ଅତ୍ୟଧିକ ସୁହାଉଥିବାରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୫୦ ଓଭରିଆ ଫର୍ମାଟରେ ଦୁଇ ନୂଆ ବଲର ବ୍ୟବହାର ନିୟମରେ ପରିବର୍ତ୍ତନ କରିପାରେ। ଦିନିକିଆ ଫର୍ମାଟରେ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ହେଲା ଦୁଇ ନୂଆ ବଲ ବ୍ୟବହାର କରାଯାଉଛି। ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱାଧୀନ ଆଇସିସି କ୍ରିକେଟ କମିଟି ଦିନିକିଆରେ ଗୋଟିଏ ବଲ ବ୍ୟବହାର କରିବାକୁ ସୁପାରିସ କରିଛି। ଏହି ସୁପାରିସକୁ ପ୍ଲେଇଂ କଣ୍ଡିଶନରେ ସାମିଲ କରିବା ପାଇଁ ଆଇସିସି ବୋର୍ଡ ଅଫ ଡାଇରେକ୍ଟର୍ସଙ୍କ ମଞ୍ଜୁରୀ ଦରକାର। ଆଇସିସି ବୋର୍ଡ ସଦସ୍ୟ ହରାରେରେ ରବିବାର ଏ ସଂକ୍ରାନ୍ତରେ ଆଲୋଚନା କରିବେ।
ପର୍ଯ୍ୟନ୍ତ ଦିନିକିଆରେ ଦୁଇଟି ନୂଆ ଧଳା କୁକାବୁରା ବଲ ବ୍ୟବହାର କରାଯାଉଛି। ବୋଲରମାନେ ଉଭୟ ଏଣ୍ଡରୁ ଭିନ୍ନ ଭିନ୍ନ ନୂଆ ବଲ ବ୍ୟବହାର କରୁଥିବାରୁ ବଲ ମ୍ୟାଚ ଶେଷ ହେବା ପର୍ଯ୍ୟନ୍ତ ହାର୍ଡ ରହୁଛି। ଏହା ବ୍ୟାଟରଙ୍କୁ ମୁକ୍ତ ଭାବେ ସ୍କୋର କରିବାକୁ ସୁଯୋଗ ଦେଉଛି। ୩୦ ୟାର୍ଡ ସର୍କଲ ବାହାରେ ମାତ୍ର ୪ ଖେଳାଳିଙ୍କୁ ଅନୁମତି ଥିବାରୁ ବୋଲରଙ୍କ ଅପେକ୍ଷା ବ୍ୟାଟରମାନେ ଅଧିକ ଫାଇଦାରେ ରହୁଛନ୍ତି। ଏପରି କି କ୍ରିକେଟ ଆଇକନ ସଚିନ ତେନ୍ଦୁଲକର ମଧ୍ୟ ଦୁଇ ନୂଆ ବଲ ବ୍ୟବହାରକୁ ନାପସନ୍ଦ କରିଥିଲେ। ଦୁଇ ନୂଆ ବଲର ବ୍ୟବହାର ଯୋଗୁ ରିଭର୍ସ ସ୍ବିଙ୍ଗ ଦେଖିବାକୁ ମିଳୁନାହିଁ। କାରଣ ରିଭର୍ସ ସ୍ବିଙ୍ଗ ହେବା ଲାଗି ବଲକୁ ଅତିକମ୍ରେ ୩୫ ଓଭର ପୁରୁଣା ହେବା ଦରକାର। ବଲ ପୂରା ମ୍ୟାଚରେ ହାର୍ଡ ରହୁଥିବାରୁ ସ୍ପିନରମାନେ ବି ସଂଘର୍ଷ କରୁଛନ୍ତି।
କ୍ରିକେଟ କମିଟି ୩ଟି ନିୟମରେ ପରିବର୍ତ୍ତନ କରିବାକୁ ସୁପାରିସ କରିଛି। ଦିନିକିଆ କ୍ରିକେଟରେ ଗୋଟିଏ ଧଳା ବଲର ବ୍ୟବହାର। ଟେଷ୍ଟରେ ଓଭର ହାର ଯାଞ୍ଚ କରିବା ପାଇଁ କ୍ଲକ ଟାଇମର ବ୍ୟବହାର ଓ ୧୯ ବର୍ଷରୁ କମ୍ ବିଶ୍ୱକପ୍କୁ ୫୦ ଓଭର ବଦଳରେ ଟି୨୦ ଫର୍ମାଟରେ ଖେଳାଯିବା ଲାଗି ସୁପାରିସ କରିଛି“ ବୋଲି ଆଇସିସି ବୋର୍ଡ ସଦସ୍ୟ କହିଛନ୍ତି। ଦୁଇଟି ବଲ ୨୫ତମ ଓଭର ପର୍ଯ୍ୟନ୍ତ ବ୍ୟବହାର କରାଯିବାର ସମ୍ଭାବନା ରହିଛି। ତା’ ପରେ ବୋଲିଂ ଦଳକୁ ଦୁଇ ବଲ ମଧ୍ୟରୁ ଗୋଟିଏ ବାଛିବାକୁ ବିକଳ୍ପ ଦିଆଯାଇପାରେ, ଯେଉଁଥିରେ ଦଳ ମ୍ୟାଚ ଶେଷ ପର୍ଯ୍ୟନ୍ତ ବୋଲିଂ କରିବ।