ମୁମ୍ୱାଇ,୧୬ା୩: ନିକଟରେ ଶେଷ ହୋଇଥିବା ଟି୨୦ ବିଶ୍ୱକପ୍ରେ ଦେଖାଦେଇଥିବା ବିବାଦ ଏବଂ ଅନିଶ୍ଚିତତା ସମ୍ପର୍କରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଚେୟାରମ୍ୟାନ୍ ଜୟ ଶାହା ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି। ନିର୍ଦ୍ଦିଷ୍ଟ ଭାବେ କୌଣସି ଦେଶର ନାଁ ନ ନେଇ ସେ ପ୍ରକାଶ କରିଛନ୍ତି ଯେ କୌଣସି ଦେଶ ଅନୁଷ୍ଠାନଠାରୁ ବଡ଼ ନୁହେଁ।
ବିଶ୍ୱକପ୍ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟ ଥିଲା। କାରଣ ଟୁର୍ନାମେଣ୍ଟ ଆରମ୍ଭ ପୂର୍ୱରୁ କିଛି ନିର୍ଦ୍ଦିଷ୍ଟ ଦଳ ଅଂଶଗ୍ରହଣ କରିବେ କି ନାହିଁ ଏବଂ ଯେଉଁଭଳି ଟୁର୍ନାମେଣ୍ଟ ଘଟିଲା, ସେନେଇ ଅନେକ ଚର୍ଚ୍ଚା ହୋଇଥିଲା। ଆଇସିସି ଚେୟାରମ୍ୟାନ୍ ଭାବେ ମୁଁ କହିପାରିବି ଯେ, କୌଣସି ଦଳ ଅନୁଷ୍ଠାନଠାରୁ ବଡ଼ ନୁହେଁ।
କୌଣସି ନିର୍ଦ୍ଦିଷ୍ଟ ଦଳ ଏକ ଅନୁଷ୍ଠାନ ଗଠନ କରିପାରିବ ନାହିଁ। ଏକ ଅନୁଷ୍ଠାନ ହେଉଛି ସମସ୍ତ ଦଳର ମିଶ୍ରଣ’ ବୋଲି ଶାହା ବିସିସିଆଇର ବାର୍ଷିକ ପୁରସ୍କାର ବିତରଣ ଉତ୍ସବରେ ଯୋଗଦେବା ଅବସରରେ କହିଛନ୍ତି।
ଟି୨୦ ବିଶ୍ୱକପ୍ର ସଫଳତା ସମ୍ପର୍କରେ ସେ ପ୍ରକାଶ କରିଛନ୍ତି ଯେ, ଏହି ବିଶ୍ୱକପ୍ ସମସ୍ତ ଭିଓରଶିପ ରେକଡର୍ସ ଭଙ୍ଗ କରିଛି। ଇତିହାସରେ ପ୍ରଥମଥର ପାଇଁ କନ୍କରେଣ୍ଟ ଭ୍ୟୁଅର୍ସ ସଂଖ୍ୟା ୭.୨ ନିୟୁତରେ ପହଞ୍ଚିଛି। ଟୁର୍ନାମେଣ୍ଟରେ ଆମେରିକା ଭାରତକୁ ଏବଂ ନେପାଳ ଇଂଲଣ୍ଡକୁ କଡ଼ା ଟକ୍କର ଦେଇଥିବା ବେଳେ ନେଦରଲାଣ୍ଡ୍ସ ପାକିସ୍ତାନକୁ ସମସ୍ୟାରେ ପକାଇଥିଲା। ଅଷ୍ଟ୍ରେଲିଆକୁ ଜିମ୍ୱାଓ୍ୱେ ହରାଇଥିଲା। ପୂର୍ଣ୍ଣ ସଦସ୍ୟ ଦଳଗୁଡ଼ିକ ବିପକ୍ଷରେ ଏଭଳି ପ୍ରଦର୍ଶନ ପାଇଁ ମୁଁ ସମସ୍ତ ଆସୋସିଏଟ୍ ଦେଶକୁ ଅଭିନନ୍ଦନ ଜଣାଉଛି।