ବଲିଉଡ୍‌ରେ ଡେବ୍ୟୁ କରିବେ ଇବ୍ରାହିମ

ମୁମ୍ବାଇ: ଅଭିନେତା ସୈଫ୍‌ ଅଲୀ ଖାନ୍‌ ଓ ତାଙ୍କ ପ୍ରଥମ ସ୍ତ୍ରୀ ଅମୃତା ସିଂଙ୍କ ପୁଅ ଇବ୍ରାହିମ ଅଲୀ ଖାନ୍‌ ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏନେଇ ଫିଲ୍ମ ନିର୍ମାତା କରନ ଜୋହର ସୋସିଆଲ ମିଡିଆରେ ଏକ ଭାବନାତ୍ମକ ପୋଷ୍ଟ କରି ସୂଚନା ଦେଇଛନ୍ତି। କରନଙ୍କ ପ୍ରଡକ୍ସନ ହାଉସ ଧର୍ମା ପ୍ରଡକ୍ସନର ଏକ ଫିଲ୍ମରେ ଇବ୍ରାହିମ ଡେବ୍ୟୁ କରିବେ। ଇବ୍ରାହିମଙ୍କ ଡେବ୍ୟୁ ନେଇ କରନ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଛନ୍ତି, ପଟୌଦି ଅଲୀ ଖାନ୍‌ ପରିବାର ସହ ତାଙ୍କର ୪୦ ବର୍ଷର ପୁରୁଣା ସମ୍ପର୍କ ରହିଛି। ଉକ୍ତ ପରିବାରକୁ ସେ ବହୁ ସମ୍ମାନ କରନ୍ତି। ସେ ମାତ୍ର ୧୨ ବର୍ଷ ବୟସର ହୋଇଥିବାବେଳେ ଇବ୍ରାହିମଙ୍କ ମା’ ଅମୃତାଙ୍କୁ ପ୍ରଥମଥର ପାଇଁ ଭେଟିଥିଲେ। ସେ ଧର୍ମା ପ୍ରଡକ୍ସନର ବ୍ୟାନରରେ ତାଙ୍କ ବାପାଙ୍କ ସହ ଅନେକ ଫିଲ୍ମରେ କାମ କରିଛନ୍ତି ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି, କ୍ୟାମେରା ସାମ୍‌ନାରେ ଅମୃତାଙ୍କର ସାମର୍ଥ୍ୟ ଅତ୍ୟନ୍ତ ଚମତ୍କାର ଥିଲା। ସେହିପରି ହିନ୍ଦୀ ଭାଷାରେ ପ୍ରଗାଢ଼ ଜ୍ଞାନ ଥିବାରୁ
ଅମୃତା ଅତି ସହଜରେ ଏବଂ ଉଚ୍ଚୋକୋଟୀର ଭାବେ ଡାଏଲଗଗୁଡ଼ିକୁ ସମ୍ପାଦନ କରିପାରୁଥିଲେ। ଚଳଚ୍ଚିତ୍ର ପ୍ରତି ଆଗ୍ରହ ପଟୌଦି ଅଲୀ ଖାନ୍‌ ପରିବାରର ରକ୍ତ ଏବଂ ଡିଏନ୍‌ଏରେ ରହିଛି। ଏହି ପରିବାରର ଆଗାମୀ ପିଢ଼ି ଇବ୍ରାହିମ ଅଲୀ ଖାନ୍‌ ପଟୌଦୀ ଖୁବ୍‌ଶୀଘ୍ର ଧର୍ମା ପ୍ରଡକ୍ସନର ବ୍ୟାନରରେ ବଡ଼ ପରଦାରେ ନଜରକୁ ଆସିବା ସହ ଦର୍ଶକଙ୍କ ହୃଦୟରେ ରାଜ୍‌ କରିବେ। କରନଙ୍କ ଏହି ପୋଷ୍ଟରେ ବଲିଉଡ୍‌ର ଅନେକ ତାରକା କମେଣ୍ଟ କରି ଇବ୍ରାହିମଙ୍କୁ ଅଭିନନ୍ଦନ ଜଣାଇଛନ୍ତି।