ଗିଲଙ୍କ ଫର୍ମ ଦେଖି ଛାନିଆ: ବୋଲର କହିଲେ ‘ମୁଁ କରିବି ନାହିଁ  ବୋଲିଂ…

ନୂଆଦିଲ୍ଲୀ,୧୨।୭: ଇଂଲଣ୍ଡରେ ଗିଲ ଚମତ୍କାର ଫର୍ମରେ ଅଛନ୍ତି। ସେ ମାତ୍ର ୪ ଇନିଂସରେ ୫୮୫ ରନ କରିଛନ୍ତି। ଏହାକୁ ନେଇ ବୋଲରମାନେ ତାଙ୍କୁ ବୋଲିଂ କରିବାକୁ ଭୟ କରୁଛନ୍ତି। ପରିସ୍ଥିତି ଏଭଳି ଯେ ତାଙ୍କ ବିସ୍ଫୋରକ ବ୍ୟାଟିଂର  ଚର୍ଚ୍ଚା ଅଷ୍ଟ୍ରେଲିଆରେ ପହଞ୍ଚିଛି। ଗିଲଙ୍କ ବ୍ୟାଟିଂ ଦେଖି ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବୋଲର ମିଚେଲ ଷ୍ଟାର୍କ ପ୍ରତିକ୍ରିୟା ଦେଇଛନ୍ତି। ସେ ସେଠାକାର ପିଚ୍‌ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଭାରତ ଏବଂ ଇଂଲଣ୍ଡ ଟେଷ୍ଟ ସିରିଜ ସମୟରେ ବ୍ୟାଟିଂ ପାଇଁ ସହଜ ପିଚ୍‌ ଉପରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ସେ ‘ଏକଦମ ଫ୍ଲାଟ୍‌ ପିଚ୍‌’ରେ ଶୁଭମନ ଗିଲଙ୍କ ଭଳି ଫର୍ମରେ ଥିବା ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରିବାକୁ ପସନ୍ଦ କରିବେ ନାହିଁ।
ଷ୍ଟାର୍କ ‘ୱିଲିୟମ ଟକ୍‌ ପଡକାଷ୍ଟ’ରେ କହିଛନ୍ତି, “ମୁଁ ଇଂଲଣ୍ଡରେ ଗିଲଙ୍କୁ ବୋଲିଂ କରିବି ନାହିଁ। ମୁଁ ସେଠାରେ ବହୁତ ମ୍ୟାଚ ଦେଖିନାହିଁ କିନ୍ତୁ ମୁଁ ସ୍କୋରକାର୍ଡ ଦେଖିଛି। ଇଂଲଣ୍ଡରେ ଏପରି ପିଚ ବୋଲରମାନଙ୍କ ପାଇଁ ବହୁତ ଚ୍ୟାଲେଞ୍ଜିଂ।“
ରୋହିତ ଶର୍ମାଙ୍କ ସ୍ଥାନରେ ଭାରତୀୟ ଟେଷ୍ଟ ଅଧିନାୟକ ହୋଇଥିବା ଗିଲ ବର୍ମିଂହାମ ଟେଷ୍ଟରେ ୨୬୯ ଏବଂ ୧୬୧ ରନ କରି ଭାରତକୁ ବଡ଼ ବିଜୟ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପୂର୍ବରୁ ଲିଡ୍ସରେ ଖେଳାଯାଇଥିବା ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଏକ ଶତକ ହାସଲ କରିଥିଲେ।