ହ୍ୟାଣ୍ଡ୍‌ସମ୍‌ ଯୋଗୁ ମୋତେ କରାଯାଉଥିଲା ଟାର୍ଗେଟ୍‌: ଚାଞ୍ଚଲ୍ୟକର ଅଭିଯୋଗ ଆଣିଲେ ପାକିସ୍ତାନ କ୍ରିକେଟର୍‌

ଇସଲାମାବାଦ୍‌,୨୬।୧: ପାକିସ୍ତାନ ପାଇଁ ଟି-୨୦ ଅନ୍ତର୍ଜାତୀୟରେ ଶତକ ହାସଲ କରିଥିବା ପ୍ରଥମ ବ୍ୟାଟସମ୍ୟାନ ଅହମ୍ମଦ ଶେହଜାଦ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ସେ କହିଛନ୍ତି, ତାଙ୍କର ସୁନ୍ଦର ଲୁକ ଯୋଗୁ ବରିଷ୍ଠ ଖେଳାଳିମାନେ ତାଙ୍କୁ ଟାର୍ଗେଟ କରୁଥିଲେ। ତଥାପି ଶେହଜାଦ କୌଣସି ବରିଷ୍ଠ ଖେଳାଳିଙ୍କ ନାମ ନେଇ ନ ଥିଲେ। ଶେହଜାଦ ଏହା ମଧ୍ୟ କହିଛନ୍ତି, ତାଙ୍କ ବ୍ୟତୀତ ଅନ୍ୟ କ୍ରିକେଟରମାନେ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

ଅହମ୍ମଦ ଅଲି ବଟ୍ଟଙ୍କ ସହ ଏକ ପୋଡକାଷ୍ଟରେ କଥାବାର୍ତ୍ତା କରି ଶେହଜାଦ କହିଥିଲେ, ମୁଁ ସୁନ୍ଦର ଦେଖାଯିବା ଯୋଗୁ ମୁଁ ବହୁତ ସମସ୍ୟାର ସମ୍ମୁଖୀନ ହୋଇଥିଲି। ଆମ କ୍ଷେତ୍ରରେ, ଯଦି ତୁମେ ଭଲ ଦେଖାଯାଉଛ, ଭଲ ପୋଷାକ ପିନ୍ଧିବା ଏବଂ କଥା କହିବା ଜାଣ, ତେବେ କିଛି ଲୋକ ତୁମ ଉପରେ ରାଗିବା ଆରମ୍ଭ କରନ୍ତି।

ଶେହଜାଦ ଆହୁରି କହିଛନ୍ତି, ମୁଁ ପାକିସ୍ତାନ ଦଳରେ ନିଜେ ଟାର୍ଗେଟ ହୋଇଆସିଛି। ମୁଁ ଏଠାରେ ନିଜକୁ ରକ୍ଷା କରୁନାହିଁ, କିନ୍ତୁ ଅନ୍ୟମାନେ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଯଦି ଆପଣଙ୍କର ଫ୍ୟାନ ଫଲୋଇଂ ବୃଦ୍ଧି ପାଏ ଏବଂ ଲୋକମାନେ ଆପଣଙ୍କୁ ପ୍ରଶଂସା କରନ୍ତି, ତେବେ କିଛି ବରିଷ୍ଠ ଖେଳାଳିଙ୍କ ପାଇଁ ଗ୍ରହଣ କରିବା ଏହା କଷ୍ଟକର।