ନୂଆଦିଲ୍ଲୀ,୮।୯: ଓ୍ବେଷ୍ଟଇଣ୍ଡିଜ୍ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ ଗେଲ ଇଣ୍ଡିଆନ ପ୍ରିମିୟର ଲିଗକୁ ନେଇ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଆଇପିଏଲ୍ରେ ବିତାଇଥିବା ତାଙ୍କ ଶେଷ ବର୍ଷ ବିଷୟରେ ସେ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ପଞ୍ଜାବ କିଙ୍ଗସ ଦଳର ଅଂଶ ଥିବାବେଳେ ସେ ଅପମାନିତ ଅନୁଭବ କରିଥିଲେ। ସେତେବେଳେ, ପଞ୍ଜାବ ଦଳର ଅଧିନାୟକତ୍ୱ କେଏଲ ରାହୁଲଙ୍କ ହାତରେ ଥିଲା। ମୁଖ୍ୟ କୋଚ ଅନିଲ କୁମ୍ବଲେ ଥିଲେ। କ୍ରିସ ଗେଲ ପଞ୍ଜାବ ଫ୍ରାଞ୍ଚାଇଜ ଉପରେ ତାଙ୍କୁ ଅପମାନିତ କରିବାର ଅଭିଯୋଗ ଲଗାଇ ଅନିଲ କୁମ୍ବଲେ ତାଙ୍କୁ ବହୁତ ନିରାଶ କରିଥିବା କହିଛନ୍ତି।
ଏକ ପୋଡକାଷ୍ଟରେ, କ୍ରିସ ଗେଲ ସ୍ବୀକାର କରିଛନ୍ତି, ତାଙ୍କ ଆଇପିଏଲ କ୍ୟାରିଅର ଠିକ ଭାବରେ ଶେଷ ହୋଇ ନ ଥିଲା। ପଞ୍ଜାବ କିଙ୍ଗସ୍ରେ ମୋତେ ଅପମାନିତ କରାଯାଇଥିଲା। ମୋତେ ସେହି ଦଳରେ ଗୁରୁତ୍ୱ ଦିଆ ଯାଇ ନ ଥିଲା। କାରଣ ମୁଁ ଜଣେ ବରିଷ୍ଠ ଖେଳାଳି ଏବଂ ଲିଗ ପାଇଁ ବହୁତ କିଛି କରିଛି। ମୁଁ ଏପରି ଅନୁଭବ କରିବାକୁ ଲାଗିଲି ଯେପରି ମୋ କାନ୍ଧ ଉପରେ ଏକ ବଡ଼ ବୋଝ ଥିଲା। ପ୍ରଥମ ଥର ମୋତେ ଡିପ୍ରେସନକୁ ଯିବାପରି ଲାଗିଥିଲା।
ଏପରି ମାନସିକ ଅବସ୍ଥାରେ ଟଙ୍କା ଗୁରୁତ୍ୱପୂର୍ଣ୍ଣ ନୁହେଁ। ମୁଁ ଅନିଲ କୁମ୍ବଲେଙ୍କୁ ଫୋନ କଲି ଏବଂ ସ୍ପଷ୍ଟ ଭାବରେ କହିଲି ଯେ, ମୁଁ ଦଳ ଛାଡି ଦେଉଛି। ମୁଁ କାନ୍ଦିଥିଲି ଏବଂ ଦଳ ପରିଚାଳନା ଦେଖି ଅନିଲ କୁମ୍ବଲେଙ୍କ ଉପରେ ବହୁତ ନିରାଶ ହୋଇଥିଲି। କେଏଲ ରାହୁଲ ଅଧିନାୟକ ଥିଲେ, ସେ ମୋତେ କହିଥିଲେ, କ୍ରିସ, ତୁମେ ପରବର୍ତ୍ତୀ ମ୍ୟାଚ ଖେଳିବ। ମୁଁ ସ୍ପଷ୍ଟ ଭାବରେ କହିଥିଲି, ମୁଁ ଦଳର ମଙ୍ଗଳ କାମନା କରୁଛି। ମୁଁ ମୋର ବ୍ୟାଗ ପ୍ୟାକ କରି ଚାଲିଗଲି।