Categories: Home Leftଖେଳ

୨୦୧୧ ବିଶ୍ୱକପ୍‌ରୁ ବିଦାୟ ପରେ କ୍ରିକେଟରଙ୍କୁ ମିଳିଥିଲା ହତ୍ୟା ଧମକ

ନୂଆଦିଲ୍ଲୀ, ୧୮।୫ : ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ଅଧିନାୟକ ଫାଫ ଡୁପ୍ଲେସି ମଙ୍ଗଳବାର ଏକ ବଡ଼ ଖୋଲାସା କରିଛନ୍ତି। କ୍ୱାର୍ଟର ଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାଜୟ ପରେ ୨୦୧୧ ବିଶ୍ୱକପ୍‌ରୁ ବିଦାୟ ନେଇଥିଲା ଦକ୍ଷିଣ ଆଫ୍ରିକା। ଏହାପରେ ଡୁପ୍ଲେସି ଓ ତାଙ୍କ ପତ୍ନୀଙ୍କୁ ମିଳିଥିଲା ହତ୍ୟା ଧମକ।

ବାଂଲାଦେଶର ମୀରପୁରଠାରେ ଖେଳାଯାଇଥିବା ନକଆଉଟ୍‌ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୪୯ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦେଇଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଧାର୍ଯ୍ୟ ୨୨୨ ରନ୍‌ ବିଜୟ ଲକ୍ଷ୍ୟ ଆଗରେ ୧୭୨ ରନ୍‌ରେ ସୀମିତ ରହିଥିଲା ଦକ୍ଷିଣ ଆଫ୍ରିକା। ଏକଦା ୩ ଉଇକେଟ ହରାଇ ୧୨୧ ରନ୍‌ କରିଥିବା ଗ୍ରେମ ସ୍ମିଥଙ୍କ ନେତୃତ୍ୱାଧୀନ ଦଳ ଅପ୍ରତ୍ୟାଶିତ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା। ମାତ୍ର ୫୧ ରନ୍‌ରେ ୭ ଉଇକେଟ ହରାଇ ପରାଜୟ ବରଣ କରିଥିଲା ଦକ୍ଷିଣ ଆଫ୍ରିକା। ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡର ଦ୍ୱାଦଶ ଖେଳାଳି କାଇଲ ମିଲ୍ସଙ୍କୁ ଧକା ମାରିବା କାରଣରୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ହରାଇଥିଲେ ଡୁପ୍ଲେସି।

” ସେହି ମ୍ୟାଚ୍‌ ପରେ ମୋତେ ଓ ମୋ ସ୍ତ୍ରୀଙ୍କୁ ହତ୍ୟା ଧମକ ମିଳିଥିଲା। ଆମେ ସୋସିଆଲ ମିଡିଆ ଛାଡ଼ି ଦେଇଥିଲୁ। ଏହା ଖୁବ୍‌ ବ୍ୟକ୍ତିଗତ ହୋଇଯାଇଥିଲା। ଏହି କାରଣରୁ ମୁଁ ଲୋକଙ୍କଠାରୁ ଦୂରେଇ ରୁହେ। ପ୍ରାୟ ଖେଳାଳି ଏଭଳି ପରିସ୍ଥିତି ଦେଇ ଗତି କରନ୍ତି ଓ ଏଥି ଯୋଗୁ କ୍ରିକେଟରଙ୍କ ସର୍କଲ ଖୁବ କମ୍‌ ଥାଏ “ ବୋଲି ଇଏସ୍‌ପିଏନ୍‌ କ୍ରିକ୍‌ଇନ୍‌ଫୋ ସହ ଆଲୋଚନା ବେଳେ ଡୁପ୍ଲେସି କହିଛନ୍ତି।

ଆଇପିଏଲ ସ୍ଥଗିତ ହେବା ପରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବ୍ୟାଟ୍ସମ୍ୟାନ ନିକଟରେ ସ୍ବଦେଶ ଫେରିଛନ୍ତି। ଚଳିତ ଆଇପିଏଲରେ ୭ ମ୍ୟାଚ୍‌ ଖେଳିଥିବା ଡୁପ୍ଲେସି ୧୩୬ ଷ୍ଟ୍ରାଇକରେଟ୍‌ରେ ୩୨୦ ରନ୍‌ ସ୍କୋର କରିଥିଲେ।