“ମୁଁ ସ୍ତ୍ରୀକୁ ମାରିଛି, କିନ୍ତୁ ଏହା ହତ୍ୟା ନୁହେଁ”: କୋର୍ଟରେ ଅଜବ ଯୁକ୍ତି କଲେ ବ୍ୟକ୍ତି

ନୂଆଦିଲ୍ଲୀ,୧୯।୧: ଜଣେ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି ଅଷ୍ଟ୍ରେଲିଆର ଏକ କୋର୍ଟରେ ନିଜ ସ୍ତ୍ରୀଙ୍କୁ ମାରିଥିବା କଥା ସ୍ୱୀକାର କରିଛନ୍ତି। ତେବେ ଏହା ଏକ ‘ହତ୍ୟା’ ନୁହେଁ ବରଂ ‘ଅପରାଧିକ ନରହତ୍ୟା’ ବୋଲି ସେ ଦାବି କରିଛନ୍ତି। ୪୨ ବର୍ଷୀୟ ବିକ୍ରାନ୍ତ ଠାକୁର ଜାନୁଆରୀ ୧୪ ତାରିଖରେ ଆଡିଲେଡ୍ ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର ହୋଇ ଏହି ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି।

ଗତ ବର୍ଷ ଡିସେମ୍ବର ୨୧ ତାରିଖରେ ଆଡିଲେଡ୍‌ର ଏକ ବାସଭବନରେ ୩୬ ବର୍ଷୀୟା ସୁପ୍ରିୟା ଠାକୁରଙ୍କୁ ପୋଲିସ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲା। ସିପିଆର୍ (CPR) ଦିଆଯିବା ସତ୍ତ୍ୱେ ତାଙ୍କୁ ବଞ୍ଚାଯାଇ ପାରିନଥିଲା। ସୁପ୍ରିୟାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ତାଙ୍କ ସ୍ୱାମୀ ବିକ୍ରାନ୍ତଙ୍କୁ ଗିରଫ କରାଯାଇଥିଲା।

ଆଇନଗତ ଭାଷାରେ ‘Murder’ ଏକ ସୁଚିନ୍ତିତ ଓ ଉଦ୍ଦେଶ୍ୟମୂଳକ ଅପରାଧ ହୋଇଥିବା ବେଳେ ‘Manslaughter’ କ୍ଷେତ୍ରରେ ମୃତ୍ୟୁ ପାଇଁ ଅଭିଯୁକ୍ତ ଦାୟୀ ହୋଇଥିଲେ ମଧ୍ୟ ତାଙ୍କର ହତ୍ୟା କରିବାର କୌଣସି ପୂର୍ବ ଉଦ୍ଦେଶ୍ୟ ନଥାଏ। ନିଜ ଓକିଲଙ୍କ ପରାମର୍ଶ କ୍ରମେ ବିକ୍ରାନ୍ତ କୋର୍ଟରେ କହିଛନ୍ତି, “ମୁଁ ମାନସଲାଟର୍ (Manslaughter) ପାଇଁ ଦୋଷ ସ୍ୱୀକାର କରୁଛି, କିନ୍ତୁ ମର୍ଡର୍ ପାଇଁ ନୁହେଁ।”

ସୁପ୍ରିୟା ଜଣେ ପରିଶ୍ରମୀ ମା’ ଥିଲେ ଏବଂ ଅଷ୍ଟ୍ରେଲିଆରେ ଜଣେ ରେଜିଷ୍ଟ୍ରଡ୍ ନର୍ସ ହେବାକୁ ଲକ୍ଷ୍ୟ ରଖିଥିଲେ। ତାଙ୍କର ଆକସ୍ମିକ ମୃତ୍ୟୁ ପରେ ତାଙ୍କର ଏକମାତ୍ର ପୁଅର ଭବିଷ୍ୟତ ପାଇଁ ତାଙ୍କ ବନ୍ଧୁ ଏବଂ ସ୍ଥାନୀୟ ସମୁଦାୟ ପକ୍ଷରୁ ‘GoFundMe’ ଜରିଆରେ ପାଣ୍ଠି ସଂଗ୍ରହ କରାଯାଉଛି।

ପୋଲିସ ବର୍ତ୍ତମାନ ଡିଏନ୍‌ଏ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି। କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଏପ୍ରିଲ ମାସରେ କରିବେ।