ନୂଆଦିଲ୍ଲୀ,୧୨।୨: ଓଖଲା ବିଧାନସଭା ନିର୍ବାଚନମଣ୍ଡଳୀରୁ ନବନିର୍ବାଚିତ ଆମ ଆଦମୀ ପାର୍ଟି (ଆପ) ବିଧାୟକ ଅମାନତୁଲ୍ଲା ଖାନଙ୍କ ସମସ୍ୟା ଥମିବାର ନାଁ ନେଉନାହିଁ। ଜାମିଆ ନଗରରେ ପୋଲିସ ଦଳ ଉପରେ ଆକ୍ରମଣର ନେତୃତ୍ୱ ନେବା ପାଇଁ ତାଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ ହେବା ପରେ ସେ ଫେରାର୍ ଥିବା କୁହାଯାଉଥିଲା, କିନ୍ତୁ ଏହି ସମୟରେ ଆପ ବିଧାୟକ କହିଛନ୍ତି ଯେ ସେ କୌଣସି ସ୍ଥାନରୁ ପଳାଇ ନାହାଁନ୍ତି ବରଂ ତାଙ୍କ ବିଧାନସଭା କ୍ଷେତ୍ରରେ ଅଛନ୍ତି। ଏ ସମ୍ପର୍କରେ ଅମାନତୁଲ୍ଲା ଖାନ ଦିଲ୍ଲୀ ପୋଲିସ କମିଶନରଙ୍କୁ ଏକ ଚିଠି ଲେଖିଛନ୍ତି।
ନ୍ୟୁଜ ଏଜେନ୍ସି ଏଏନଆଇର ସୂଚନା ଅନୁଯାୟୀ, ଅମାନତୁଲ୍ଲା ଖାନ ଲେଖିଛନ୍ତି, ‘ମୁଁ ମୋ ନିର୍ବାଚନମଣ୍ଡଳୀରେ ଅଛି, ମୁଁ କୌଣସି ସ୍ଥାନକୁ ପଳାଇ ଯାଇନାହିଁ। ଦିଲ୍ଲୀ ପୋଲିସର କେତେକ ଲୋକ ମୋତେ ମିଥ୍ୟା ମାମଲାରେ ଫସାଇ ଦେଉଛନ୍ତି… ଦିଲ୍ଲୀ ପୋଲିସ ଯାହାକୁ ଗିରଫ କରିବାକୁ ଆସିଥିଲା ସେ ଜାମିନ ପାଇସାରିଛି। ଯେତେବେଳେ ସେହି ବ୍ୟକ୍ତି ତାଙ୍କ କାଗଜପତ୍ର ଦେଖାଇଲେ, ପୋଲିସ ନିଜର ଭୁଲ ଲୁଚାଇବା ପାଇଁ ମୋତେ ମିଥ୍ୟା ମାମଲାରେ ଫସାଇ ଦେଉଛନ୍ତି।’
ପୂର୍ବରୁ, ଦିଲ୍ଲୀ ପୋଲିସ ବିଧାୟକ ଏବଂ ସହ-ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ଘର ଉପରେ ଚଢାଉ କରିଥିଲା, କିନ୍ତୁ କାହାକୁ ପାଇନଥିଲା। ଏବେ ଅଭିଯୁକ୍ତ ଅମାନତୁଲ୍ଲାଙ୍କ ମୋବାଇଲ ଫୋନ ମଧ୍ୟ ବନ୍ଦ ଅଛି। ବର୍ତ୍ତମାନ ପୋଲିସ ତାଙ୍କ ବିରୁଦ୍ଧରେ ଦଙ୍ଗା ଉସକାଇବା, ସରକାରୀ କାମରେ ବାଧା ସୃଷ୍ଟି କରିବା, ଜଣେ ସରକାରୀ କର୍ମଚାରୀଙ୍କ ସହ ଧସ୍ତାଧସ୍ତି କରି ଜଣେ ଅପରାଧୀଙ୍କୁ ମୁକ୍ତ କରିବା ଏବଂ ହତ୍ୟା ଧମକ ଦେବା ଭଳି ଧାରା ଅନୁଯାୟୀ ମାମଲା ରୁଜୁ କରିଛି।
କ୍ରାଇମବ୍ରାଞ୍ଚ ଟିମ ସୂଚନା ପାଇଥିଲା ଯେ ଜାମିଆ ନଗରରେ ୨୦୧୮ ମସିହାରେ ହୋଇଥିବା ଏକ ହତ୍ୟା ଉଦ୍ୟମ ମାମଲାରେ ଜଣେ ଘୋଷିତ ଅପରାଧୀ ଶାହୱାଜ ଜାମିଆ ନଗରରେ ଉପସ୍ଥିତ ଥିଲା। ସୂଚନା ଆଧାରରେ, ସୋମବାର ଅପରାହ୍ନରେ କ୍ରାଇମବ୍ରାଞ୍ଚ ଟିମ ସେଠାରେ ପହଞ୍ଚି ଶାହୱାଜକୁ ଗିରଫ କରିଥିଲା।
ଅଭିଯୋଗ ହୋଇଛି ଯେ ଏହି ସମୟରେ ଓଖଲାରୁ ନବନିର୍ବାଚିତ ଆପ ବିଧାୟକ ଅମାନତୁଲ୍ଲା ଖାନ ତାଙ୍କର 20-25 ସମର୍ଥକଙ୍କ ସହିତ ସେଠାରେ ପହଞ୍ଚିଥିଲେ। ସେମାନେ ପୋଲିସ ଦଳକୁ ଧମକ ଦେଇଥିଲେ ଏବଂ ଶାହୱାଜଙ୍କ ଗିରଫଦାରୀକୁ ବିରୋଧ କରିବା ଆରମ୍ଭ କରିଥିଲେ। ବିଧାୟକ ଏବଂ ତାଙ୍କ ସମର୍ଥକମାନେ ପୋଲିସ ଦଳକୁ ହତ୍ୟା କରିବାକୁ ଧମକ ଦେଇଥିଲେ ଏବଂ ପୋଲିସଙ୍କ ସହ ଧସ୍ତାଧସ୍ତି ପରେ ଅଭିଯୁକ୍ତ ଶାହୱାଜକୁ ଘଟଣାସ୍ଥଳରୁ ମୁକ୍ତ କରିଥିଲେ।