ନବୀ ମୁମ୍ବାଇ,୩୧।୧୦: ଡିୱାଇ ପାଟିଲ ଷ୍ଟାଡିୟମ୍ରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ସେମିଫାଇନାଲ୍ରେ ଭାରତ ରେକର୍ଡ ୩୩୯ ରନ୍ ଲକ୍ଷ୍ୟ ପିଛା କରି ୪୮.୩ ଓଭର୍ରେ ୫ ଉଇକେଟ୍ ହରାଇ ୩୪୧ ରନ୍ କରି ବିଜୟୀ ହୋଇ ମହିଳା ବିଶ୍ୱକପ୍ ଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରିଛି। ଜେମିମା ରୋଡ୍ରିଗଜ୍ ୧୩୪ ବଲ୍ରେ ଅପରାଜିତ ୧୨୭ ରନ୍ (୧୪ ଚୌକା) କରି ଅଧିନାୟିକା ହରମନପ୍ରୀତ କୌର (୮୯) ସହ ୧୬୭ ରନ୍ର ଭାଗିଦାରୀ ଗଢ଼ିଥିଲେ। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୩୩୮ ରନ୍ରେ ଅଲ୍ ଆଉଟ୍ ହୋଇଥିଲା।
ଏହା ଜେମିମାଙ୍କ ପ୍ରଥମ ବିଶ୍ୱକପ୍ ଶତକ ଯାହା ୧୧୫ ବଲ୍ରେ ୧୦ ଚୌକା ସହ ଆସିଥିଲା। ଟୁର୍ଣ୍ଣାମେଣ୍ଟର ପ୍ରଥମ ତିନି ମ୍ୟାଚ୍ରେ କମ୍ ରନ୍ କରିବା ପରେ ଗୋଟିଏ ମ୍ୟାଚ୍ରେ ଡ୍ରପ୍ ହୋଇଥିବା ମୁମ୍ବାଇର ଏହି ବ୍ୟାଟର ଡିଫେଣ୍ଡିଂ ଚାମ୍ପିଅନ୍ ବିପକ୍ଷ ସେମିଫାଇନାଲ୍ରେ ଶତକ ହାସଲ କରି ନିଜର କ୍ଲାସ୍ ପ୍ରମାଣ କରିଛନ୍ତି।
ବିଜୟ ପରେ ଭାବୁକ ହୋଇ ଜେମିମା କହିଛନ୍ତି, “ମୁଁ ଯୀଶୁଙ୍କୁ ଧନ୍ୟବାଦ ଦେଉଛି, ଏହା ମୁଁ ନିଜେ କରିପାରିନଥାନ୍ତି। ମାଆ, ବାପା, କୋଚ୍ ଓ ମୋତେ ବିଶ୍ୱାସ କରିଥିବା ସମସ୍ତଙ୍କୁ ଧନ୍ୟବାଦ। ଗତ ମାସ ବହୁତ କଷ୍ଟକର ଥିଲା, ଏହା ସ୍ୱପ୍ନ ଭଳି ଲାଗୁଛି ଓ ଏପର୍ଯ୍ୟନ୍ତ ବିଶ୍ୱାସ ହୋଇନାହିଁ।”
ନମ୍ବର ୩ରେ ବ୍ୟାଟିଂ ବିଷୟରେ ସେ କହିଛନ୍ତି, “ମୁଁ ଜାଣିନଥିଲି ମୁଁ ତିନି ନମ୍ବରରେ ବ୍ୟାଟିଂ କରୁଛି। କ୍ରିଜକୁ ଆସିବାର ପାଞ୍ଚ ମିନିଟ୍ ଆଗରୁ ଜଣା ପଡିଥିଲା। ଏହା ମୋ ବିଷୟରେ ନୁହେଁ, ଭାରତକୁ ଜିତାଇ ଫାଇନାଲ୍କୁ ନେବା ପାଇଁ ଥିଲା। ଆଗରୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ହାରିଥିବାରୁ ଆଜି ମୋର ଅର୍ଦ୍ଧଶତକ ବା ଶତକ ନୁହେଁ, ଭାରତର ବିଜୟ ଗୁରୁତ୍ୱପୂର୍ଣ୍ଣ ଥିଲା।”
ସେ ଆହୁରି କହିଛନ୍ତି, “ଏପର୍ଯ୍ୟନ୍ତ ଯାହା ଘଟିଲା ସବୁ ଏହି ମୁହୂର୍ତ୍ତ ପାଇଁ ଥିଲା। ଏକାଧିକ ଘଟଣା ଘଟୁଥିଲା, ମୁଁ କିଛି ନିୟନ୍ତ୍ରଣ କରିପାରୁନଥିଲି। ଏହି ଟୁର୍ରେ ପ୍ରାୟଟି ଦିନ ମୁଁ କାନ୍ଦିଛି। ମାନସିକ ଭାବେ ଭଲ ନଥିଲି, ଆଙ୍ଗ୍ଜାଇଟିରେ ଥିଲି। ଈଶ୍ୱର ସବୁ ସମ୍ଭାଳିଛନ୍ତି। ଆରମ୍ଭରେ ନିଜ ସହ କଥା ହେଉଥିଲି, ଶେଷରେ ବାଇବେଲ୍ର ଏକ ଶ୍ଲୋକ ଉଚ୍ଚାରଣ କରୁଥିଲି – ସ୍ଥିର ରୁହ, ଈଶ୍ୱର ତୁମ ପାଇଁ ଲଢ଼ିବେ। ମୁଁ ସ୍ଥିର ରହିଲି, ସେ ମୋ ପାଇଁ ଲଢ଼ିଛନ୍ତି।”
ସହ ଖେଳାଳିଙ୍କ ବିଷୟରେ ସେ କହିଛନ୍ତି, “ହରମନ ଦି ଆସିବା ପରେ ଗୋଟିଏ ଭଲ ଭାଗିଦାରୀ ଦରକାର ଥିଲା। ଶେଷରେ ମୁଁ ଚେଷ୍ଟା କରୁଥିଲି କିନ୍ତୁ ପାରୁନଥିଲି। ଦୀପ୍ତି ପ୍ରତି ବଲ୍ରେ ଉତ୍ସାହିତ କରୁଥିଲେ। ସହଖେଳାଳିମାନେ ଉତ୍ସାହ ଦେଇଥିଲେ। ମୁଁ କୌଣସି କ୍ରେଡିଟ୍ ନେଉନାହିଁ। ଦର୍ଶକଙ୍କ ଚିତ୍କାର ଓ ଉତ୍ସାହ ମୋତେ ଶକ୍ତି ଦେଇଥିଲା।”