ଓ୍ବାଶିଂଟନ/ନୂଆଦିଲ୍ଲୀ,୧୫।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ନେଇ ଦାବି କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ବକ୍ତବ୍ୟ ସ୍ପଷ୍ଟ କରିଛନ୍ତି। ଟ୍ରମ୍ପ କହିଥିଲେ ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶତ୍ରୁତା ବୃଦ୍ଧି ପାଉଛି, ତେଣୁ ଆମେ ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିଛୁ। ଟ୍ରମ୍ପ କହିଥିଲେ, ‘ମୁଁ କହୁନାହିଁ ଯେ ମୁଁ ମଧ୍ୟସ୍ଥତା କରିଛି। ମୁଁ ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିଛି।’
ତଥାପି, ଟ୍ରମ୍ପ ବାଣିଜ୍ୟ ଉପରେ ତାଙ୍କ ବିବୃତ୍ତିରେ ଅଟଳ ରହିଥିଲେ। ସେ କହିଲେ ଯେ ଯେତେବେଳେ ମୁଁ ବ୍ୟବସାୟ ବିଷୟରେ କଥା ହେଲି, ସେତେବେଳେ ହିଁ ସମସ୍ୟାର ସମାଧାନ ହୋଇଥିଲା। ଟ୍ରମ୍ପ କହିଛନ୍ତି, ‘ଗତ ସପ୍ତାହରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବହୁତ ବିପଜ୍ଜନକ ହୋଇଉଠିଥିଲା। ଉଭୟ ଦେଶ ହଠାତ୍ କ୍ଷେପଣାସ୍ତ୍ର ମାଡ଼ କରିବା ଆରମ୍ଭ କରିଦେଲେ ଏବଂ ଆମେ ସବୁକିଛି ସମାଧାନ କରିଦେଲୁ।’
ଟ୍ରମ୍ପ କହିଥିଲେ, ‘ଭାରତ ଏବଂ ପାକିସ୍ତାନ ବର୍ଷ ବର୍ଷ ଧରି ଲଢ଼ୁଛନ୍ତି। ମୁଁ ଭାବିଥିଲି ମୁଁ ଏକ ଆପୋଷ ସମାଧାନ କରିପାରିବି ଏବଂ ମୁଁ ତାହା କଲି। ତୁମେ କେତେ ସମୟ ଲଢ଼େଇ ଜାରି ରଖିପାରିବ? ମୁଁ ନିଶ୍ଚିତ ଥିଲି ଯେ ଦୁହେଁ ଏକ ଆପୋଷ ସମାଧାନ କରିବେ। ଏହା ବହୁତ କଷ୍ଟକର ଥିଲା। ଏହା ପ୍ରକୃତରେ ନିୟନ୍ତ୍ରଣ ବାହାରକୁ ଯିବାକୁ ଯାଉଥିଲା।’