ମୁଁ କୁରାନ ଛୁଇଁ କହୁଛି…ଭାଜପା ସହ ମେଣ୍ଟକୁ ନେଇ ଓମାର ଅବଦୁଲ୍ଲା କଲେ ଚାଞ୍ଚଲ୍ୟକର ଖୁଲାସା

ଶ୍ରୀନଗର,୧୦।୧୧: ନଭେମ୍ବର ୧୧ ତାରିଖରେ ବଡଗାମ ଏବଂ ନାଗ୍ରୋଟା ବିଧାନସଭା ଆସନରେ ଉପନିର୍ବାଚନ ପୂର୍ବରୁ ଜମ୍ମୁ ଏବଂ କଶ୍ମୀରରେ ରାଜନୈତିକ ତାପମାତ୍ରା ବୃଦ୍ଧି ପାଇଛି। ନ୍ୟାଶନାଲ କନଫରେନ୍ସ (ଏନସି) ଏବଂ ଭାଜପା ମଧ୍ୟରେ ବାକ ଯୁଦ୍ଧ ତୀବ୍ର ହୋଇଛି। ଭାଜପା ନେତା ଏବଂ ବିଧାନସଭାରେ ବିରୋଧୀ ଦଳ ନେତା ସୁନୀଲ ଶର୍ମା ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ବିରୋଧରେ ଏକ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସୁନୀଲ ଦାବି କରିଛନ୍ତି,୨୦୨୪ ବିଧାନସଭା ନିର୍ବାଚନ ପରେ ଓମାର ଅବଦୁଲ୍ଲା ଦିଲ୍ଲୀରେ ଭାଜପା ନେତାମାନଙ୍କ ସହ ସାକ୍ଷାତ କରି ସରକାର ଗଠନ କରିବାକୁ ଆଲୋଚନା କରିଥିଲେ।

ସେ ଏକ ମସଜିଦ କିମ୍ବା ଧାର୍ମିକ ସ୍ଥଳକୁ ଯାଇ ଶପଥ ନେବାକୁ ଧମକ ଦେଇଥିଲେ, ସେ ଭାଜପା ସହିତ ମେଣ୍ଟ କରିବାକୁ ଚେଷ୍ଟା କରିନାହାଁନ୍ତି। ଶର୍ମାଙ୍କ ବୟାନ ରାଜନୈତିକ ପରିବେଶରେ ହଇଚଇ ସୃଷ୍ଟି କରିଥିଲା।

ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସୁନୀଲ ଶର୍ମାଙ୍କ ଅଭିଯୋଗର ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ସେ ଲେଖିଛନ୍ତି, ମୁଁ କୁରାନ ଛୁଇଁ ଶପଥ କରୁଛି ଯେ, ମୁଁ ୨୦୨୪ରେ ରାଜ୍ୟ ମାନ୍ୟତା ପାଇଁ କିମ୍ବା କୌଣସି ରାଜନୈତିକ କାରଣରୁ ଭାଜପା ସହିତ କୌଣସି ମେଣ୍ଟ ଗଠନ କରିବାକୁ ଚେଷ୍ଟା କରି ନ ଥିଲି।
ଭାଜପା ନେତାମାନେ ମିଥ୍ୟା ପ୍ରଚାର କରି ଜାଣିଶୁଣି ଲୋକଙ୍କୁ ଭ୍ରମିତ କରୁଛନ୍ତି, ଯେତେବେଳେ ସତ୍ୟ ହେଉଛି ନ୍ୟାସନାଲ କନଫରେନ୍ସ ସର୍ବଦା ଭାଜପାର ନୀତିକୁ ବିରୋଧ କରିଆସିଛି।

ବଡଗାମ ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେଉଛି। କାରଣ ୨୦୨୪ ବିଧାନସଭା ନିର୍ବାଚନରେ ଓମର ଅବଦୁଲ୍ଲା ବଡଗାମ ଏବଂ ଗାଣ୍ଡେରବଲ ଉଭୟ ଆସନରେ ବିଜୟୀ ହୋଇଥିଲେ। ପରେ ସେ ବଡଗାମ ଆସନ ଖାଲି କରିଥିଲେ। ଭାଜପା ବିଧାୟକ ଦେବେନ୍ଦ୍ର ସିଂହ ରାଣାଙ୍କ ମୃତ୍ୟୁ ପରେ ନାଗ୍ରୋଟା ଆସନ ଖାଲି ପଡ଼ିଥିଲା।

ନଭେମ୍ବର ୧୧ ତାରିଖ ମତଦାନ ତାରିଖ ପାଖେଇ ଆସିବା ସହିତ ରାଜନୈତିକ ବୟାନବାଜି ତୀବ୍ର ହେଉଛି। ଉଭୟ ଦଳ ପରସ୍ପର ବିରୋଧରେ ଅଭିଯୋଗ ଏବଂ ପ୍ରତ୍ୟାରୋପ ଲଗାଇ ପରିବେଶକୁ ଆହୁରି ଉଷ୍ମ କରୁଛନ୍ତି।

 

Dharitri – Odisha’s No.1 Odia Daily