‘ମୁଁ ମୁଖ୍ୟମନ୍ତ୍ରୀ ରେସ୍‌ରେ ନାହିଁ’

ଭୋପାଳ,୧୫।୯: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ରହିବାକୁ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମନା କରି ଦେଇଛନ୍ତି। ମୁଁ ୨୦୧୮ରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଦୌଡରେ ନ ଥିଲି କି ଆଜି ନାହିଁ ବୋଲି ସିନ୍ଧିଆ ସ୍ପଷ୍ଟ କରିଛନ୍ତି। ୨୦୧୮ରେ ସିନ୍ଧିଆ କଂଗ୍ରେସରେ ଥିଲେ। ଏବେ ସେ ଭାଜପାରେ ଅଛନ୍ତି।
ସିନ୍ଧିଆ କହିଛନ୍ତି, ମୁଁ ୨୦୧୮ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଦୌଡ଼ରେ ନ ଥିଲି କି ମୁଁ ଆଜି ନାହିଁ। ୨୦୧୮ ନିର୍ବାଚନରେ ବହୁତ କାମ କରିଥିଲି। ଯେତେବେଳେ ଫଳାଫଳ ଘୋଷଣା ହେଲା, କଂଗ୍ରେସ ହାଇକମାଣ୍ଡ ମୋତେ କହିଥିଲେ ଯେ କମଲ ନାଥଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ମୁଁ ଏହି ନିଷ୍ପତ୍ତିକୁ ସମର୍ଥନ କଲି। କିନ୍ତୁ ମୁଁ କେବେ ବି ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ନ ଥିଲି। ୨୦୨୦ରେ ସିନ୍ଧିଆ ଭାଜପାରେ ଯୋଗ ଦେଇଥିଲେ।
ତାଙ୍କ ପୁରୁଣା ଦଳ କଂଗ୍ରେସକୁ ଟାର୍ଗେଟ୍‌ କରି ସେ କହିଛନ୍ତି ଯେ,ଭାଜପାରେ ଦକ୍ଷତା ଏବଂ ଯୋଗ୍ୟତା ଆଧାରରେ ଟିକେଟ ଦିଆଯାଏ। କଂଗ୍ରେସ ପରି ଟିକେଟ ସୁପାରିଶ ଅନୁଯାୟୀ ଦିଆଯାଏ ନାହିଁ। ମୁଁ ବିରାଟ କୋହଲିଙ୍କ ପରି ରାଜନୀତି କରୁଛି। ତେଣୁ ଅତୀତ ପ୍ରତି ଧ୍ୟାନ ଦେବାକୁ ଚହେଁ ନାହିଁ। ମଧ୍ୟପ୍ରଦେଶରେ ୨୦୧୮ ରୁ ୨୦୨୦ ମଧ୍ୟରେ ୧୫ ମାସ ଧରି ‘ମିଥ୍ୟା ଓ ଲୁଟ’ ସରକାର ଚାଲିଥିଲା।
ମାର୍ଚ୍ଚ ୨୦୨୦ରେ ସିନ୍ଧିଆ ୨୨ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ନେତୃତ୍ୱ ନେଇଥିଲେ। ଏହି ବିଧାୟକମାନେ ସିନ୍ଧିଆଙ୍କ ସହ ଭାଜପାରେ ଯୋଗ ଦେଇଥିଲେ।