Categories: Home Leftଖେଳ

ଏହି ଉପାୟରେ ରୋହିତଙ୍କୁ ଆଉଟ୍‌ କରନ୍ତି ଦକ୍ଷ ସ୍ପିନର

ଚେନ୍ନାଇ,୨୧।୪: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ତଥା ବିସ୍ଫୋରକ ଓପନର ରୋହିତ ଶର୍ମାଙ୍କୁ କେଉଁ ଭଳି ଆଉଟ୍‌ କରି ହେବ, ତାହା ପ୍ରକାଶ କରିଛନ୍ତି ବରିଷ୍ଠ ଲେଗ୍‌ ସ୍ପିନର ଅମିତ୍‌ ମିଶ୍ରା। ଏହି ସ୍ପିନର (୨୪/୪)ଙ୍କ ଯୋଗୁ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସହଜ ବିଜୟ ହାସଲ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ।

ମୁଁ ସର୍ବଦା ରୋହିତଙ୍କୁ ଫ୍ଲାଇଟେଡ୍‌ ବଲରେ ବିଟ୍‌ କରିବାକୁ ଚାହେଁ। ଆଉ ତାଙ୍କ ହିଟିଂ ଜୋନ ବାହାରେ ବୋଲିଂ କରେ। ବଲକୁ ଯଥା ସମ୍ଭବ ଧିମା ପକାଏ। ଏହି କାରଣରୁ ରୋହିତ ନିଜ ଜୋନ ବାହାରେ ବଲକୁ ବଡ଼ ଶଟ୍‌ ଖେଳିବାକୁ ଉଦ୍ୟମ କରନ୍ତି, ଯେଉଁଥିରେ ତାଙ୍କ ଫଶିବାର ବିଶେଷ ସମ୍ଭାବନା ରହିଥାଏ ବୋଲି ମ୍ୟାଚ୍‌ ପରେ ୩୮ ବର୍ଷୀୟ ମିଶ୍ରା କହିଛନ୍ତି। ମ୍ୟାଚ୍‌ରେ ରୋହିତଙ୍କ ସମେତ ୪ଟି ଉଇକେଟ ହାତେଇଥିଲେ ଅମିତ୍‌। ଏଭଳି ପ୍ରଦର୍ଶନ ଯୋଗୁ ଚଳିତ ଆଇପିଏଲରେ ପ୍ରଥମ ମ୍ୟାଚ୍‌ ଖେଳିଥିବା ଲେଗ୍‌ ସ୍ପିନରଙ୍କୁ ମିଳିଛି ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର।