Categories: HomeHome Left

ବାହାରେ ଦାଦନ ଖଟୁଛନ୍ତି ସ୍ବାମୀ, ଘରେ ନାଏବ ସରପଞ୍ଚ ଥିବା ସ୍ତ୍ରୀ କଲେ ଆତ୍ମହତ୍ୟା

ଥୁଆମୂଳ ରାମପୁର,୨୮ା୧୧(ଦୁର୍ଗା କୀର୍ତ୍ତି): ସ୍ବାମୀ  ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବରେ ଖଟିବାକୁ ଯାଇଥିବା ବେଳେ ନିଜ ଘରେ ସ୍ତ୍ରୀ ଆତ୍ମହତ୍ୟା କରିଥିବା ଖବର ଅଞ୍ଚଳରେ ଚାଞ୍ଚଲ୍ୟକର ପରିବେଶ ସୃଷ୍ଟି ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କାଣିଗୁମା ପଞ୍ଚାୟତରେ। ଉକ୍ତ ଗ୍ରାମପଞ୍ଚାୟତର ୧୧ ନମ୍ବର ଓ୍ବାର୍ଡର ନାଏବ ସରପଞ୍ଚ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନାରୁ ଜଣାଯାଏ ଯେ, ପଲାଡୁମେର ଗ୍ରାମର ସାନ ମାଝୀଙ୍କ ସ୍ତ୍ରୀ କାରୁମ ମାଝୀ (୩୫) ଗୁରୁବାର ଅପରାହ୍ନରେ ତାଙ୍କ ଘରେ କେହି ନ ଥିବା ସମୟରେ ଏକା ଓଢ଼ଣୀରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ପରେ ପଡ଼ୋଶୀ ଦେଖି ଥୁଆମୂଳ ରାମପୁର ଥାନାକୁ ସୂଚନା ଦେଇଥିଲେ। ସୂଚନା ପାଇ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି କେସ୍‌ ନଂ ୧୧/୨୫ରେ ମାମଲା ରୁଜୁ କରି ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ କୈବଲ୍ୟ ସେଠ ସୂଚନା ଦେଇଛନ୍ତି। ତେବେ ନିଜ ଗ୍ରାମରେ କୌଣସି କାମଧନ୍ଦା ନ ପାଇ ନାଏବ ସରପଞ୍ଚଙ୍କ ସ୍ବାମୀ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ବେଳେ ସ୍ତ୍ରୀଙ୍କର ଏଭଳି ଆତ୍ମହତ୍ୟାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇବା ସହ ଘରୋଇ କଳିକୁ କେନ୍ଦ୍ର କରି ଏଭଳି ଦୁଃଖଦ ଘଟଣା ଘଟିଥାଏ ବୋଲି ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily