ସ୍ତ୍ରୀଙ୍କ ତଣ୍ଟିଚିପି ମାରିଦେଇଥିଲେ ସ୍ବାମୀ: ମିଳିଲା ଏମିତି ଦଣ୍ଡ

ଗୁଣପୁର,୩୦।୩(ସୁଜାତା ପାଢ଼ୀ): ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ହୋଇଛି। ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଗାଦିଆଖଳା ପଞ୍ଚାୟତ ବାୟାଗୁଡ଼ା ଗ୍ରାମର ସୁରେନ୍ଦ୍ର ଶବର ଗୁଣପୁର ଢେପ ସାହିର ଝିଲି ବାଉରୀଙ୍କ ଝିଅ ସନ୍ତୋଷୀ ବାଉରୀକୁ ବିବାହ କରିଥିଲେ। ବିବାହ ସମୟରେ ପରିବାରବର୍ଗ ପକ୍ଷରୁ ତିନି ଲକ୍ଷ ଟଙ୍କା ସହ ଅନ୍ୟାନ୍ୟ ଜିନିଷ ପତ୍ର ପ୍ରଦାନ କରିଥିଲେ। ବିବାହର କିଛି ଦିନ ପରେ ସୁରେନ୍ଦ୍ର ସନ୍ତୋଷୀକୁ ନିର୍ଯାତନା ଦେଇ ଆସୁଥିଲେ।

ଗତ ୧୮/୪/୨୦୨୪ରେ ଭୋର୍‌ ୫ଟାବେଳେ ସ୍ତ୍ରୀଙ୍କୁ ସ୍ବାମୀ ସୁରେନ୍ଦ୍ର ଶବର ଦଉଡ଼ି ଦ୍ୱାରା ତଣ୍ଟି ଚିପି ହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଥିଲା। ଏହାକୁ ନେଇ ଏକ ଯୌତୁକ ଜନିତ ହତ୍ୟା ମାମଲା ରୁଜୁ କରି ଘଟଣା ପର ଦିନ ସୁରେନ୍ଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏହି ମାମଲା ର ିଚାରଣା ଗୁଣପୁର ଏଡିଜେଙ୍କ କୋର୍ଟରେ ହୋଇଥିଲା। ବିଚାର ସମୟରେ ୧୮ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଏଡିଜେ ଦେବଦତ୍ତ ପଟ୍ଟନାୟକ ସୋମବାର ରାୟ ପ୍ରକାଶ କରି ଅଭିଯୁକ୍ତ ସୁରେନ୍ଦ୍ର ଶବରଙ୍କୁ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

ଏହା ସହ ୧୦ ହଜାର ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଥିଲେ l ଅନାଦେୟ ଅଧିକ ୧ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ କୋର୍ଟ ରେ ରାୟ ଶୁଣାଇଥିବା ମାମଲା ପରିଚାଳନା କରୁଥିବା ସରକାରୀ ଓକିଲ ଈଶ୍ୱର ଚନ୍ଦ୍ର ଗମାଙ୍ଗ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କ ପାଇଁ ଅଶୋକ ଧୂଳି ମାମଲା ପରିଚାଳନା କରିଥିଲେ। ସୂଚନା ଯୋଗ୍ୟ ଯେ, ଗିରଫ ଦିନଠାରୁ ଅଭିଯୁକ୍ତ ସୁରେନ୍ଦ୍ରଙ୍କ ଜାମିନ ନାମଞ୍ଜୁର ହେବାରୁ ସେ ଜେଲ ହାଜତରେ ରହି ଆସୁଥିଲେ।

 

Dharitri – Odisha’s No.1 Odia Daily

 

Share