ପାରାଦୀପ,୧୭।୧(ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ବଡପଡିଆ ସିନେମାହଲ ସମ୍ମୁଖ ବସ୍ତିରେ ଶନିବାର ସକାଳୁ ଅଭାବନୀୟ ଘଟଣା ଘଟିଛି।ନିଜ ସ୍ତ୍ରୀ ର ଚରିତ୍ରକୁ ସନ୍ଦେହ କରି ସ୍ବାମୀ ମରଣାନ୍ତକ ଆକ୍ରମଣ କରିଛି। ଘଟଣା ପରେ ସ୍ବାମୀ ଫେରାର ହୋଇଯାଇଛନ୍ତି। ପରେ ପୋଲିସ ପହଞ୍ଚି ଆହତ ସ୍ତ୍ରୀଙ୍କୁ ନେଇ ବିଜୁ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରିଛି। ଘଟଣା ସମ୍ପର୍କରେ ସ୍ତ୍ରୀ ନଳିନୀ ମଲ୍ଲିକ କୁହନ୍ତି, ମୋ ସ୍ବାମୀ ଟୁକୁନା ମଲ୍ଲିକ ଜଣେ ରାଜମିସ୍ତ୍ରୀ ଭାବେ କାମ କରନ୍ତି। ସବୁବେଳେ ନିଶାଶକ୍ତ ଅବସ୍ଥାରେ ମୋତେ ମାରଧର କରନ୍ତି। ଶନିବାର ସକାଳୁ ନିଶା ଖାଇ ଗାଳି କରିବାରୁ ମୁଁ ପାଟି କରି ୪ ପିଲାଙ୍କୁ ନେଇ ବାପଘରକୁ ଯିବି ବୋଲି କହିଥିଲି। ଏଥିରେ ସେ ଉତକ୍ଷିପ୍ତ ହୋଇ ମୋର ଚରିତ୍ର ଖରାପ କହି ଗାଳି କରିବା ସହ କରଣୀରେ ଆକ୍ରମଣ କରିଥିଲେ। ଏଥିରେ ମୋ ମୁଣ୍ଡ, ଛାତି, ପେଟ କହୁଣିରେ ଆଘାତ ଲାଗିଛି। ଘଟଣା ସମୟରେ ପଡୋଶୀ ଲୋକ ଆସିବାରୁ ସେ ଘରୁ ଦୌଡ଼ି ପଳାଇଥିଲେ।