ଖୋର୍ଦ୍ଧା,୩୦।୫(ପ୍ରଭାତ ପାଣିଗ୍ରାହୀ): ପତ୍ନୀହନ୍ତା ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ। ଏହି ମାମଲାର ବିଚାର କରି ଖୋର୍ଦ୍ଧା ପ୍ରଥମ ଅତିରିକ୍ତ ଜିଲା ଦୌରାଜଜ(ଏଡିଜେ-୧) ରଞ୍ଜୁଲତା ଲେଙ୍କାଙ୍କ ଅଭିଯୁକ୍ତ ସ୍ବାମୀ ଦୀପ୍ତିମାନ ସାହୁଙ୍କୁ ଦଫା ୩୦୨ରେ ଆଜୀବନ କାରାଦଣ୍ଡ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହିତ ୧୦ହଜାର ଟଙ୍କା ଜରିମନା କରିଛନ୍ତି। ଜରିମାନା ଅନାଦେୟ ଅଧିକ ଛ’ମାସ ଜେଲ ଦଣ୍ଡାଦେଶ ଭୋଗିବେ।
ସୂଚନାଯୋଗ୍ୟ, ନୟାଗଡ ଜିଲା ବାଣିଗୋଛା ଥାନା ବାଲିଆପଦର ଗ୍ରାମର ଦୀପ୍ତିମାନ ୨୦୨୦ ଜାନୁଆରୀ ୧୯ତାରିଖରେ ସ୍ତ୍ରୀ ରୁନିତାଙ୍କୁ ଜଙ୍କିଆ ଥାନା ଅନ୍ତର୍ଗତ କାୟା କାଜୁ ଜଙ୍ଗଲରେ ତଣ୍ଟିଚିପି ହତ୍ୟା କରି ଫେରାର ହୋଇଯାଇଥିଲେ। ମୃତକଙ୍କ ଭାଇ ବିକାଶ ସାହୁ ଜଙ୍କିଆ ଥାନାରେ ହତ୍ୟା ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତି କରି ଥାନାରେ ଏକ ହତ୍ୟା ମାମଲା(ନଂ ୨୪।୨୦)ରୁଜୁ କରି ସ୍ବାମୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲେ।
ଶୁକ୍ରବାର ଏହି ମାମଲାର ବିଚାର କରି ଏଡିଜେ ପ୍ରଥମ ୨୫ଜଣ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଉପରୋକ୍ତ ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସୁକ୍ୟୁଟେର ରଜନୀ ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ।