ବିବାହକୁ ହୋଇଥିଲା ୨ ଦିନ, ଦେଶ ସେବା ପାଇଁ ବାହାରିଲେ ସ୍ବାମୀ, ଲୁହ ଛଳଛଳ ଆଖିରେ ବିଦାୟ ଦେଇ ସ୍ତ୍ରୀ କହିଲେ…

ମୁମ୍ବାଇ,୧୦ା୫: ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଜଣେ ସୈନିକ ବିବାହର ମାତ୍ର ଦୁଇଦିନ ପରେ ଦେଶ ମାତୃକାର ସେବା କରିବା ପାଇଁ କାର୍ଯ୍ୟରେ ଯୋଗ ଦେଇଛନ୍ତି। ନୂଆ ବାହାଘର ଘରେ ନବବଧୂଙ୍କୁ ଛାଡ଼ି ଆସିବା କେତେ କଷ୍ଟ ତାହା ଅନୁଭବୀ ହିଁ କହିପାରିବେ। ସବୁଠୁ ଆଶ୍ଚର୍ଯ୍ୟର କଥା ବିବାହ ପରଦିନ ଯେତେବେଳେ ତାଙ୍କୁ ସେନା ପକ୍ଷରୁ ଡାକରା ଗଲା ତାଙ୍କ ସ୍ତ୍ରୀ ମନା କରି ନ ଥିଲେ ବରଂ ଲୁହ ଛଳଛଳ ଆଖିରେ ସ୍ବାମୀଙ୍କୁ ବିଦାୟ ଦେଇ କହିଥିଲେ ତାଙ୍କ ସିନ୍ଦୂର ଦେଶର ନାମରେ। ଏହା ସହିତ ସେ ଏହା ମଧ୍ୟ କହିଥିଲେ ଯେ, ସେ ତାଙ୍କ ସ୍ବାମୀ ପାଇଁ ସେ ଗର୍ବିତ। ମହାରାଷ୍ଟ୍ରର ଜଳଗାଓଁରେ ଜଣେ ସୈନିକ ନିଜ ଦେଶର ସେବା କରିବା ପାଇଁ ସୀମାକୁ ଫେରିଯାଇଥିଲେ।

ପ୍ରକୃତରେ ପାଚୋରା ତହସିଲର ଖେଦଗାଓଁ ନାନ୍ଦିଚେ ଗାଁର ବାସିନ୍ଦା ସୈନିକ ମନୋଜ ଜ୍ଞାନେଶ୍ୱର ପାଟିଲ ତାଙ୍କ ବିବାହର ମାତ୍ର ଦୁଇ ଦିନ ପରେ କର୍ତ୍ତବ୍ୟର ଡାକରାରେ ଦେଶ ସେବା କରିବା ପାଇଁ ଘରୁ ବାହାରିଥିଲେ। ସେ ୫ ମେ’ ରେ ୟାମିନୀ ନାମକ ଜଣେ ଝିଅକୁ ବିବାହ କରିଥିଲେ, କିନ୍ତୁ ବିବାହ ପରେ ତାଙ୍କୁ ସୀମାରେ ଡ୍ୟୁଟି ପାଇଁ ଡକାଯାଇଥିଲା। ଦେଶପ୍ରେମର ଉଦାହରଣ ସୃଷ୍ଟି କରି, ମନୋଜ ତାଙ୍କ ସ୍ତ୍ରୀଙ୍କୁ ଆଶ୍ୱାସନା ଦେବା ପରେ ତାଙ୍କ ଡ୍ୟୁଟିରେ ଯୋଗ ଦେଇଥିଲେ।

ବିବାହ ପରେ ମେ’ ୭ରେ ସେ ପାଚୋରା ରେଳ ଷ୍ଟେଶନରୁ ତାଙ୍କ ପୋଷ୍ଟିଂ ସ୍ଥାନକୁ ଚାଲିଗଲେ। ଯେତେବେଳେ ତାଙ୍କ ପରିବାର ସଦସ୍ୟ, ସ୍ତ୍ରୀ, ପିତାମାତା ଏବଂ ସମ୍ପର୍କୀୟମାନେ ତାଙ୍କୁ ବିଦାୟ ଦେବାକୁ ଆସିଲେ, ସମସ୍ତଙ୍କ ଆଖି ଓଦା ହୋଇଗଲା, କିନ୍ତୁ ସେମାନଙ୍କ ମୁହଁରେ ଦେଶପ୍ରେମର ଗର୍ବ ମଧ୍ୟ ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ଏହି ଅବସରରେ ସ୍ତ୍ରୀ ୟାମିନୀ କହିଥିଲେ, ‘ମୋର ସିନ୍ଦୂର ଦେଶ ପାଇଁ। ମୁଁ ଗର୍ବିତ ଯେ ମୋ’ ସ୍ବାମୀ ଦେଶ ସେବା କରୁଛନ୍ତି। ୟାମିନୀଙ୍କ ଆଖି ଲୁହରେ ଭର୍ତ୍ତି ଥିଲା ଏବଂ ତାଙ୍କ ହାତରେ ମେହେନ୍ଦୀର ଚମକ ଏବେ ବି ରହିଛି।