ଜମନକିରା,୨୭ା୧୧(ରବୀନ୍ଦ୍ର ପ୍ରସାଦ ଦାନୀ): ରୋଷେଇ ଛାଡ଼ି ମୋବାଇଲ ଫୋନ୍ରେ କଥା ହେଉଥିଲେ ସ୍ତ୍ରୀା ରୋଷେଇ କରିବାକୁ କହିବାରୁ ନ ଶୁଣି ଫୋନ୍ରେ ଗପିଚାଲିଥିଲେ। ଏଥିରେ ରାଗି ଯାଇ ସ୍ବାମୀ ଚୁଲିଫୁଙ୍କା ନଳରେ ପିଟିବାରୁ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ଏହିଭଳି ଘଟଣା ଘଟିଛି ସମ୍ବଲପୁର ଜିଲା ଜମନକିରା ଥାନା ଅନ୍ତର୍ଗତ ପାଲୋଖମନ ଗାଁରେ। ମୃତା ମହିଳା ହେଲେ ମମତା ମାଝୀ(୫୦)। ବୁଧବାର ସକାଳେ ଏହି ଘଟଣା ଜଣାପଡିବା ପରେ ପୋଲିସ ଅଭିଯୁକ୍ତ ସ୍ବାମୀ ଶ୍ରୀକର ମାଝୀ(୫୭)ଙ୍କୁ ଗିରଫ କରିଛି। ହତ୍ୟାକାଣ୍ଡରେ ବ୍ୟବହୃତ ଲୁହାନଳକୁ ପୋଲିସ ଜବତ କରିଛି। ଏ ନେଇ ଜମନକିରା ଥାନାରେ ଏକ ହତ୍ୟା ମାମଲା(ନଂ.୨୧୮/୨୦୨୫)ରୁଜୁ କରି ପୋଲିସ ତଦନ୍ତ ଚଳାଇଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ସୂଚନା ଅନୁସାରେ ମଙ୍ଗଳବାର ରାତିରେ ମମତା ଘରେ ମୋବାଇଲ ଫୋନ୍ରେ କାହା ସହ କଥା ହେଉଥିଲେ। ପାଖରେ ଥିବା ଶ୍ରୀକର ମମତାଙ୍କୁ ଫୋନ୍ ଛାଡ଼ି ତୁରନ୍ତ ରନ୍ଧାବଢ଼ା କରିବାକୁ କହିଥିଲେ। ହେଲେ ସେ ଏଥିପ୍ରତି କର୍ଣ୍ଣପାତ କରି ନ ଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଶ୍ରୀକର ଚୁଲିମୁଣ୍ଡରେ ଥିବା ଫୁଙ୍କାନଳରେ ମମତାଙ୍କ ମୁଣ୍ଡକୁ ପିଟିଦେଇଥିଲେ। ଘଟଣାସ୍ଥଳରେ ମମତା ଟଳି ପଡ଼ିଥିଲେ।
ରାତିରେ ଏହି ଘଟଣା ଘଟିଥିଲେ ହେଁ ସାହିପଡ଼ିଶା ଲୋକେ କେହି ଜାଣିପାରି ନ ଥିଲେ। ବୁଧବାର ସକାଳେ ସାହିପଡ଼ିଶା ମମତାଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ନ ଦେଖି ଶ୍ରୀକରଙ୍କୁ ପଚରାଉଚରା କରିଥିଲେ। ରାତିରେ ତାଙ୍କୁ ପିଟି ମାରିଦେଇଥିବା ସେ କହିବା ପରେ ଘଟଣା ବିଷୟରେ ଜଣାପଡ଼ିଥିଲା। ଲୋକଙ୍କଠାରୁ ଖବର ପାଇ ଆଇଆଇସି ପଦ୍ମାଳୟା ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ବାମୀ ଶ୍ରୀକରଙ୍କୁ ଗିରଫ କରିଥିଲେ। ଅଭିଯୁକ୍ତ ଘଟଣା ସମ୍ପର୍କରେ ସ୍ବୀକାର କରିଥିବା ପୋଲିସ କହିଛି। ସୂଚନାଯୋଗ୍ୟ, ମମତାଙ୍କ ୨ପୁଅ ଅଛନ୍ତି। ଉଭୟେ କାମ କରିବା ପାଇଁ ଅନ୍ୟତ୍ର ରହୁଥିବାବେଳେ ମମତା ଓ ଶ୍ରୀକର ଘରେ ରହୁଥିଲେ।