ସ୍ବାମୀଙ୍କ ଅନ୍ୟ ମହିଳାଙ୍କ ସହ ଥିଲା ସମ୍ପର୍କ: ବିରୋଧ କରିବାରୁ…

ଯାଜପୁର ରୋଡ୍‌,୨୧ା୮(ପବିତ୍ର ରଞ୍ଜନ ମହାନ୍ତି):ଯାଜପୁରରୋଡ୍‌ ଥାନା ବ୍ୟାସନଗର ପୌର ପରିଷଦ ୯ନଂ.ୱାର୍ଡର କୋର୍ଟ ପଛପଟ ବିନାୟକ ବିହାର ମହରମ ଛଇ ବସ୍ତିରେ ଗୁରୁବାର ସକାଳେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ପଥର ଚଟାଣରେ କଚାଡ଼ି ହତ୍ୟା କରିଛନ୍ତି। ମୃତା ମହିଳା ହେଲେ କିଷାନ ଦାସଙ୍କ ସ୍ତ୍ରୀ ଲକ୍ଷ୍ମୀ ଦାସ(୩୦)। ଲକ୍ଷ୍ମୀ ତାଙ୍କ ସ୍ବାମୀଙ୍କ ଅନ୍ୟ ସ୍ତ୍ରୀ ସହ ସମ୍ପର୍କକୁ ବିରୋଧ କରିବାରୁ ଏହି ଘଟଣା ଘଟିଛି। ତେବେ ଲକ୍ଷ୍ମୀଙ୍କ ମୃତ୍ୟୁ ହୋଇଥିବା ଜାଣିବା ପରେ କିଷାନ ତାଙ୍କୁ ଏକ ଲୁଗାରେ ଘରେ ଟାଙ୍ଗୀ ଆତ୍ମହତ୍ୟାର ରୂପଦେବାକୁ ଚେଷ୍ଟା କରିଛନ୍ତି। ପୋଲିସ ପହଞ୍ଚତ୍ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ଏଥିସହିତ କିଷାନଙ୍କୁ ଅଟକ ରଖି ସାଇଣ୍ଟିଫିକ ଟିମ୍‌ ସହାୟତାରେ ତଦନ୍ତ ଚଳାଇଛି। ଶୁକ୍ରବାର ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଥାନାଧିକାରୀ ଆଶିଷ ସାହୁ କହିଛନ୍ତି।
ମହିଳାଙ୍କ ମୃତ୍ୟୁ ସମ୍ପର୍କରେ ସ୍ଥାନୀୟ କାଉନସିଲର ମଣିନ୍ଦ୍ର ସାହୁଙ୍କୁ କିଷାନଙ୍କ ପଡ଼ୋଶୀ ଖବର ଦେଇଥିଲେ। କାଉନସିଲର ସାହୁ ଯାଜପୁରରୋଡ୍‌ ପୋଲିସକୁ ଜଣାଇଥିଲେ। ପୋଲିସ ପହଞ୍ଚି ମହିଳାଙ୍କ ମୃତଦେହ ଜବତ କରିଥିଲା। ଏହାପରେ ତାଙ୍କ ସ୍ବାମୀ କିଷାନଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲା। କିଷାନ କହିଥିଲେ, ଉଭୟଙ୍କ ମଧ୍ୟରେ ବଚସା ହେବାରୁ ଲକ୍ଷ୍ମୀ ରାଗିଯାଇ ରାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ହେଲେ ତାଙ୍କ ପଡ଼ୋଶୀମାନେ କହିଥିଲେ, କିଷାନଙ୍କ ଅନ୍ୟ ସ୍ତ୍ରୀ ଲୋକଙ୍କ ସହ ସମ୍ପର୍କ ରହିଛି। ଏହାକୁ ନେଇ ଦମ୍ପତିଙ୍କ ମଧ୍ୟରେ ମାରପିଟ ଲାଗି ରହିଥିଲା। ସକାଳେ ମଧ୍ୟ ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଏଥିରେ କିଷାନ ଉତ୍‌କ୍ଷିପ୍ତ ହୋଇ ଲକ୍ଷ୍ମୀଙ୍କୁ ଟେକିଆଣି ଘର ସମ୍ମୁଖରେ ଥିବା ଏକ ମାଙ୍କଡ଼ା ପଥର ଉପରେ କଚାଡ଼ି ଦେଇଥିଲା। ଫଳରେ ଲକ୍ଷ୍ମୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିତ୍ଲା। ଅନ୍ୟପକ୍ଷରେ ଲକ୍ଷ୍ମୀଙ୍କୁ ହତ୍ୟା କରାଯାଇଥିବା ତାଙ୍କ ମାଉସୀ ନାଗୁ ଦାସ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ଥାନାରେ ନଂ.୪୮୯/୨୫ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି।