ଲାଞ୍ଜିଗଡ଼,୧୬ା୯ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ମାଳିଯୁବାଙ୍ଗ ପଞ୍ଚାୟତ ସେରକଝଲା ଗ୍ରାମର ରାଜିଙ୍ଗା ମାଝୀ(୩୫) ଦାଦନ ଖଟିବାକୁ ଯାଇ ହାଇଦ୍ରାବାଦରେ ନିଖୋଜ ହୋଇଯାଇଛନ୍ତି। ଏହି ସମ୍ପର୍କରେ ତାଙ୍କ ସ୍ତ୍ରୀ ସୀତା ମାଝୀ ଖବର ପାଇବା ପରେ ଥାନାରେ ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ ରାଜିଙ୍ଗା ଗତ ୧୦ ତାରିଖରେ ଗ୍ରାମର ଅନ୍ୟ ୯ ଶ୍ରମିକ ମିଶ୍ର ମାଝୀ, ଲସୁ ମାଝୀ, ଲାଖି ମାଝୀ, କିଶୋର ମାଝୀ, କାର୍ତ୍ତିକ ମାଝୀ ଓ ଅନ୍ୟମାନଙ୍କ ସହିତ ଆନ୍ଧ୍ରପ୍ରଦେଶ ରାଜ୍ୟର ହାଇଦ୍ରାବାଦକୁ ଦାଦନ ଖଟିବାକୁ ବାହାରିଥିଲେ। ସମସ୍ତେ ଠିକ୍ ଭାବେ ହାଇଦ୍ରାବାଦରେ ପହଞ୍ଚି ଥିଲେ। ୧୨ତାରିଖରେ ହାଇଦ୍ରାବାଦଠାରୁ ୧୦ କି.ମି. ଦୂରରେ ଥିବା ଏକ କମ୍ପାନୀ କାମରେ ଯୋଗ ଦେଇଥିଲେ। ସେହି କମ୍ପାନୀରେ ସିଫ୍ଟ ଡିୟୁଟି ରହିଥିବା ବେଳେ କିଛି ଲୋକ ନାଇଟ ସିଫ୍ଟ ଓ ଅନ୍ୟମାନଙ୍କୁ ଡେ ସିଫ୍ଟ ପଡିଥିଲା। ରାଜିଙ୍ଗା ଡେ ସିଫ୍ଟରେ କାମ କରିବା ପାଇଁ ଯାଇଥିବା ବେଳେ ସିଫ୍ଟ ଡ୍ୟୁଟି ନ ସରୁଣୁ ଅପରାହ୍ନ ୫ଟାରେ ପାଚେରି ଚଢି କୁଆଡେ ଚାଲିଯାଇଥିଲେ। ସେଠାରେ ଥିବା ଗାଁର ଅନ୍ୟ ଲୋକ ଖୋଜାଖୋଜି କରି ପାଇ ନ ଥିଲେ। ପରେ ସେମାନେ ତାଙ୍କ ଘରକୁ ଜଣାଇଥିବା ସ୍ତ୍ରୀ ସୀତା ପ୍ରକାଶ କରିଛନ୍ତି।
ରାଜିଙ୍ଗା ପାଠ ପଢ଼ି ନ ଥିବା ଯୋଗୁ ଭଲଭାବରେ ଓଡ଼ିଆ ଭାଷା ମଧ୍ୟ ଜାଣିନାହାନ୍ତି। କେବଳ ଆଦିବାସୀଙ୍କ ପୁଇ ଭାଷା ଜାଣନ୍ତି। ସ୍ବାମୀଙ୍କ ନିଖୋଜ ଖବର ଶୁଣିବା ପରେ ସ୍ତ୍ରୀ ଚାରି ସନ୍ତାନକୁ ନେଇ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ମଙ୍ଗଳବାର ନିଖୋଜ ରାଜିଙ୍ଗାଙ୍କ ସ୍ତ୍ରୀ ସୀତା ବିଜେପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ବିଜେପୁର ଥାନାଧିକାରୀ ନୀଳାମ୍ବର ଯାନିଙ୍କୁ ପଚାରିବାରୁ ଆଜି ନିଖୋଜ ବ୍ୟକ୍ତିଙ୍କ ସ୍ତ୍ରୀ ଲିଖିତ ଅଭିଯୋଗ କରିଛନ୍ତି ଏବଂ ଏହାର ତଦନ୍ତ କରାଯିବ ବୋଲି ପ୍ରକାଶ କରିଛନ୍ତି I