ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କଲେ, ଗିରଫ ଭୟରେ ଏମିତି ଚରମ ପଦକ୍ଷେପ ନେଲେ ସ୍ବାମୀ

ପାଟଣା, ୩ା୯(ବୀରକିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତ ଦାଶରଥିପୁର ଗ୍ରାମର ଜଣେ ବିବାହିତ ଯୁବକ(୪୦) ତାଙ୍କ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ପରେ ଗିରଫ ଭୟରେ ନିଜେ ଆତ୍ମହତ୍ୟା କରିଛନ୍ତି। ସୋମବାର ରାତିରେ ଏହି ଘଟଣା ଘଟିଛି। ଉକ୍ତ ଯୁବକ ହେଲେ ଅଭିମନ୍ୟୁ ମହାନ୍ତ।
ଗତ ଶନିବାର ସ୍ବାମୀ ଅଭିମନ୍ୟୁ ସ୍ତ୍ରୀ ଋଷୁନି(୩୩)ଙ୍କୁ ୩ ହଜାର ଟଙ୍କା ମାଗିଥିଲେ। ଋଷୁନି ଟଙ୍କା ନ ଦେବାରୁ ଅଭିମନ୍ୟୁ ତାଙ୍କୁ ମାଡ଼ ମାରି ହାତଗୋଡ ବାନ୍ଧି ଘର ନିକଟ ଅମରିବୁଦା ନିକଟରେ ପକାଇ ଦେଇଥିଲେ। ରୁଷୁନିଙ୍କୁ ଗ୍ରାମବାସୀ ମୂମୁର୍ଷୁ ଅବସ୍ଥାରେ ଉଦ୍ଧାର କରି କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ରୁଷୁନି ମୃତ୍ୟୁ ସହ ଡାକ୍ତରଖାନାରେ ସଂଘର୍ଷ କରୁଥିବା ବେଳେ ଅଭିମନ୍ୟୁ ଗିରଫ ଭୟରେ ସୋମବାର ରାତିରେ ଘର ସମ୍ମୁଖ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମଙ୍ଗଳବାର ହସ୍ତାନ୍ତର କରାଯାଇଛି। ଏନେଇ ତୁରୁମୁଙ୍ଗା ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ.୨୭/୨୫) ରୁଜୁ ହୋଇଥିବା ଏସ୍‌ଆଇ କିଶୋର ପାତ୍ର କହିଛନ୍ତି।