ଦିଗପହଣ୍ଡି,୧୫।୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ବିଜେଡ଼ି ଦିଗପହଣ୍ଡି ବ୍ଲକ ସଭାପତି ତଥା ନିମଖଣ୍ଡିପେଣ୍ଠ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଭୂତି ଭୂଷଣ ମହାପାତ୍ର(୬୩)ଙ୍କ ହୃଦଘାତରେ ପରଲୋକ ଘଟିଛି। ଦିଗପହଣ୍ଡି ଏନଏସି ୱାର୍ଡ ନଂ.୨ ବିଷ୍ଣୁପ୍ରିୟା ନଗରରେ ରହୁଥିବା ବିଭୂତି ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୦ଟାରେ ରାତ୍ରି ଭୋଜନ ସାରି ସ୍ତ୍ରୀଙ୍କ ନିକଟରେ ସୋଫାରେ ବସିଥିବା ବେଳେ ଆକସ୍ମିକ ଅସୁସ୍ଥ ଅନୁଭବ କରିବାରୁ ସେ ଫାର୍ମାସିଷ୍ଟ ସିମାଞ୍ଚଳ ପଣ୍ଡାଙ୍କୁ ଫୋନ କରି ଡାକିବା ପରେ ସ୍ତ୍ରୀଙ୍କ ଉପରେ ଟଳି ପଡ଼ିଥିଲେ।
ବମକେଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ଭଗବାନ ବାଡତ୍ୟା ଏବଂ ଫାର୍ମାସିଷ୍ଟ ସିମାଞ୍ଚଳ ପଣ୍ଡା ତାଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଅଚେତ ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମରଶରୀରକୁ ପୈତୃକ ଗାଁ ପନାଡ଼ ଗ୍ରାମସ୍ଥିତ ବାସଭବନକୁ ବୁଧବାର ସକାଳେ ନିଆଯାଇଥିଲା। ସେଠାରେ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଓ ପଞ୍ଚାୟତ ଜନସାଧାରଣ ଶେଷ ଦର୍ଶନ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ସେ ପୂର୍ବତନ ବିଧାୟକ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ସମ୍ପର୍କୀୟ ଅଟନ୍ତି। ବିଭୂତି ୨୦୦୦ରୁ ୨୦୦୭ ଏବଂ ୨୦୧୭ ରୁ ୨୦୨୨ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୭ରୁ ୨୦୧୨ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ପଞ୍ଚାୟତ ଅଞ୍ଚଳର ବହୁ ଉନ୍ନୟନ ମୂଳକ କାର୍ଯ୍ୟ କରିଥିଲେ। ତାଙ୍କର ଏକମାତ୍ର କନ୍ୟା ଗଜପତି ଜିଲା ପାରଳାଖେମୁଣ୍ଡିର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ପାଠ ପଢୁଛନ୍ତି। ଜଣେ ବନ୍ଧୁ ବତ୍ସଳ, ମିଷ୍ଟଭାଷୀ ଓ ପରୋପକାରୀ ଭାବେ ସେ ସମଗ୍ର ଦିଗପହଣ୍ଡି ଅଞ୍ଚଳରେ ପରିଚିତ ଥିଲେ।
ତାଙ୍କ ପରଲୋକ ଖବର ପାଇ ବିଜେଡ଼ି ରାଜ୍ୟ ପରିଷଦ ସଦସ୍ୟ ବିପ୍ଳବ ପାତ୍ର, ବିଜେଡ଼ି ଗଞ୍ଜାମ ଜିଲା ସଭାପତି ବିକ୍ରମ କୁମାର ପଣ୍ଡା, ଦିଗପହଣ୍ଡି ବ୍ଲକର ପୂର୍ବତନ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ, ବ୍ରହ୍ମପୁର ଏମ.ପି ପ୍ରତିନିଧି କେ.ହରିବନ୍ଧୁ ରେଡ୍ଡୀ, ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, କାଉନସିଲର ଦୀପକ କୁମାର ମିଶ୍ର,ସୁଶାନ୍ତ କୁମାର ପାତ୍ର,ସରପଞ୍ଚ ସଂଘ ବ୍ଲକ ସଭାପତି ଫନେନ୍ଦ୍ର ଚନ୍ଦ୍ର ଗୋସ୍ବାମୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।