ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା ଭଳି ଅଭାବନୀୟ ଘଟଣାକୁ ନେଇ ଅଞ୍ଚଳରେ ଏକ ଶୋକର ଛାୟା ଖେଳିଯାଇଛି। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା/ମହୁଲପାଟଣା ଫାଣ୍ଡି ଅନ୍ତର୍ଗତ ପାଡେପଦର ଗ୍ରାମ ପଞ୍ଚାୟତ ସ୍ଥିତ ଖମାରପଦର ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଦୁଃଖଦ ଘଟଣା । ଗ୍ରାମର ସତ୍ୟବାନ ନାଏକ (୬୧) ଏବଂ ତାଙ୍କ ସ୍ତ୍ରୀ ପ୍ରତିମା ନାଏକ(୬୦) ଦୁହେଁ ଗତ ରବିବାର ସକାଳେ ଗାଁ ନିକଟ ତଳପଦର୍‌ ପୋଖରୀକୁ ଶୌଚ କରିବା ପାଇଁ ଯାଇ ନିଖୋଜ ହୋଇଯାଇଥିଲେ । ତେବେ ଉଭୟଙ୍କ ଘରକୁ ଫେରିବା ବିଳମ୍ବ ଦେଖି ସମ୍ପର୍କୀୟ ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ହେଲେ ଉଭୟଙ୍କ କୌଣସି ଖବର ପାଇପାରିଲେ ନାହିଁ। କିନ୍ତୁ ସୋମବାର ସକାଳୁ ସ୍ତ୍ରୀ ପ୍ରତିମାଙ୍କ ମୃତଦେହ ପୋଖରୀରେ ଭାସୁଥିବା ଗ୍ରାମର କିଛି ଲୋକ ଦେଖିବାକୁ ପାଇଥିଲେ ଏବଂ ଏନେଇ ସ୍ଥାନୀୟ ସମିତି ସଭ୍ୟ ତଥା ଖବରଦାତା ମୋହନ ସାଗରଙ୍କୁ ଜଣାଇଥିବା ବେଳେ ସମିତି ସଭ୍ୟ ଥୁଆମୂଳ ରାମପୁର ଥାନା ଅଧିକାରୀ କୈବଲ୍ୟ ସେଠକୁ ସୂଚନା ଦେଇଥିଲେ। ଖବରପାଇ ଥାନା ଅଧିକାରୀ ସେଠଙ୍କ ନିର୍ଦ୍ଦେଶ କ୍ରମେ ଥାନା ଏସଆଇ ସୁଶାନ୍ତ କୁମାର ପଣ୍ଡା ଓ ତାଙ୍କ ପୋଲିସ ସହକର୍ମୀ, ଥୁଆମୂଳ ରାମପୁର ଅତିରିକ୍ତ ତହସିଲଦାର ସନାତନ ମହାରଣା ଓ ଅଗ୍ନିଶମ ବିଭାଗ କର୍ମଚାରୀ ପ୍ରମୁଖ ଘଟଣାସ୍ଥଳରେ ଯାଇ ପହଞ୍ଚି ପୋଖରୀରୁ ପ୍ରଥମେ ସ୍ତ୍ରୀ ପ୍ରତିମାଙ୍କ ମୃତଦେହ ଉଦ୍ଧାର କରି ଆହୁରି ଖୋଜା ଖୋଜି କରିବା ପରେ ସ୍ବାମୀ ସତ୍ୟବାନଙ୍କ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଥିଲା। ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ପୃଥକ ପୃଥକ ୟୁଡ଼ି କେସ ନଂ.୧୨/୨୫ ଏବଂ ୧୩/୨୫ରେ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପରେ ମୃତଙ୍କର ସମ୍ପର୍କୀୟଙ୍କୁ ଶବ ହସ୍ତାନ୍ତର କରାଯାଇଛି। ତେବେ ଏଭଳି ଅଭାବନୀୟ ଘଟଣା ପାଇଁ ଉକ୍ତ ଅଂଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଅସାବଧାନତା ହେତୁ ଉଭୟ ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀଙ୍କ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି।

Dharitri – The Largest & Most Trusted Odia Daily